ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ଇସ୍ତଫା ଦାବି କଲା ଭାଜପା

ବେଗୁନିଆପଡ଼ା,୧୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାକୁ ନେଇ ଶନିବାର କୋଦଳା ଭାଜପା ପକ୍ଷରୁ କୋଦଳା ଥାନାରେ ଏତଲା ଦିଆଯାଇଛି। ମନ୍ତ୍ରୀ ଜନୈକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା, ଭୁବନେଶ୍ୱର ମହିଳା ଥାନାରେ ପୀଡ଼ିତା ଜଣଙ୍କ ଅଭିଯୋଗ କରିଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି। ପୋଲିସ ତାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରି ତୁରନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି କୋଦଳା ଭାଜପା ନେତା ତଥା ଏନ୍‌ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ। ତଦନ୍ତ କରି ମନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଭାଜପା ନେତାମାନେ ଦାବି କରିଛନ୍ତି। ଅପରପକ୍ଷେ ତୁରନ୍ତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ତାଙ୍କର ପଦବୀରୁ ଇସ୍ତଫା ଦେବା ପାଇଁ ମଧ୍ୟ ଦାବି ହୋଇଛି। ଘୁମୁସର ସାଂଗଠନିକ ଜିଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ, ଖଲ୍ଲିକୋଟ ଭାଜପା ନେତା ଅନୀଲ ପଣ୍ଡା, ଯଜ୍ଞ ନାରାୟଣ ଦାଶ, ମଧୂସୁଦନ ଜେନାଙ୍କ ସମେତ ବହୁ ଭାଜପା କର୍ମକର୍ତ୍ତା ଆଜି କୋଦଳା ଥାନାରେ ପହଞ୍ଚି ଏନେଇ ଏକ ଏତଲା ଦେଇଥିବା ସୂଚନା ମିଳିଛି।

Share