Categories: ଜାତୀୟ

ମୁଁ ବନ୍ଦ କୋଠରୀରେ ରାଜନୀତି କରେ ନାହିଁ: ଶାହା

ମୁମ୍ବାଇ,୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରକୁ ତିନି ଚକିଆ ଅଟୋରିକ୍ସା ବୋଲି କହିଛନ୍ତି । ଏହାସହ ସବୁକ୍ଷେତ୍ରରେ ଏମାନେ ବିଫଳ ବୋଲି ମଧ୍ୟ ଶାହା କହିଛନ୍ତି । ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାର କଂକାବଳିରେ ଏକ ମେଡିକାଲ କଲେଜ ଉଦ୍‌ଘାଟନ କରିବା ପରେ ସେ ମହା ବିକାଶ ଅଘାଡି ସରକାରକୁ ତିନି ଚକିଆ ଅଟୋ ସହ ତୁଳନା କରି କହିଛନ୍ତି ଯେ ଏହାର ପ୍ରତ୍ୟକ ଚକ ଅଲଗା ଅଲଗା ଦିଗରେ ଯାଉଛି । ଏହା ଲୋକଙ୍କ ଜନାଦେଶକୁ ଧୋକା ଦେଇ ଗଢିଉଠିଥିବା ଏକ ଅପବିତ୍ର ମେଣ୍ଟ । ଏହି ମେଣ୍ଟ କେବଳ ଶାସନ କ୍ଷମତା ହାତକୁ ନେବା ଲୋଭରେ ଗଠନ କରାଯାଇଛି । ଶାହା ଦାବି କରିଛନ୍ତି ଯେ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା ଦ୍ୱାରା ମୁଖ୍ୟମନ୍ତ୍ରୀ ପଦ ଭାଗ ବଣ୍ଟାକୁ ନେଇ କୌଣସି ଶପଥ ନିଆଯାଇ ନାହିଁ । ହେଲେ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ତା’ର ଲମ୍ବା ସମୟର ସହଯୋଗୀ ଭାଜପାଠାରୁ ସମ୍ପର୍କ ତୁଟାଇ ଦେଇଥିଲା । ସେତେବେଳେ ଠାକରେ କହିଥିଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶାହା ଠାକରେଙ୍କ ସହ ଶପଥ କରିଥିଲେ । ହେଲେ ଏବେ ଶାହା କହିଛନ୍ତି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ସହ କୌଣସି ଶପଥ କରି ନ ଥିଲା । ଏବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି, ମୁଁ ବନ୍ଦ କୋଠରିରେ କାହାକୁ କଥା ଦେଇ ନ ଥାଏ ଯାହା ବି କୁହେ ଖୋଲାଖୋଲି ଭାବେ କୁହେ । କାରଣ ମୁଁ ବନ୍ଦ କୋଠରିରେ ରାଜନୀତି କରେ ନାହିଁ । ଆମ ଦଳ ନିଜ କଥାର ସମ୍ମାନ କରିଥାଏ । ଆମେ ଧଳା ମିଛ କହୁନାହିଁ, ଆମେ ଦେଇଥିବା କଥାର ସମ୍ମାନ କରୁ । ଯେମିତି ବିହାରରେ ଆମେ କହିଥିଲୁ ଭାରତୀୟ ଜନତା ପାର୍ଟି(ଭାଜପା) ଅଧିକ ଆସନରେ ବିଜୟୀ ହେଲେ ବି ମୁଖ୍ୟମନ୍ତ୍ରୀ ପଦ ନୀତୀଶ କୁମାରଙ୍କୁ ମିଳିବ । ଆମେ ତାହାହିଁ କରିଥିଲୁ ।

Share