ଭବନୀପାଟଣା, ୨୯।୧: ମଣ୍ଡିରୁ ଧାନ ନ ଉଠିବା ତଥା ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି କଳାହାଣ୍ଡି ଭାଜପା ତରଫରୁ ଶୁକ୍ରବାର ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା ଭାଜପା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ଓ ଚାଷୀ ନେତା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରୁ ଏକ ଶୋଭାଯାତ୍ରାରେ ବାହାରି କଳାହାଣ୍ଡି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଭାଜପା କର୍ମୀମାନେ ସେଠାରେ ବିଭିନ୍ନ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆନ୍ଦୋଳନକାରି ମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରଛନ୍ତି।
ପ୍ରମୁଖ ଦାବି ମଧ୍ୟରେ ରହିଛି, ମଣ୍ଡିରେ ପଡି ରହିଥିବା ଧାନକୁ ତୁରନ୍ତ ଉଠାଇବା ବ୍ୟବସ୍ଥା, ଅଚଳ ହୋଇଯାଇଥିବା ଚାଷୀଙ୍କ ଟୋକନ୍ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ ଓ ଧାନ ବିକ୍ରି ପାଇଁ ଅନୁମତି ପ୍ରଦାନ। ଏସବୁ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।