ଭାଜପା ହୀନ ରାଜନୀତି କରୁଛି: ବିଜେଡିି

ଭୁବନେଶ୍ୱର,୨୫ା୭ (ଅନିଲ ଦାସ):ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଏକ ଆନ୍ତଃରାଜ୍ୟ ଦଲାଲ ରାକେଟ୍‌ ଧରାପଡ଼ିବା ପରେ ଓଡ଼ିଶା ଭାଜପା ଏହାକୁ ନେଇ ହୀନ ରାଜନୀତି ଆରମ୍ଭ କରିଦେଇଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ସୋମବାର ଶଙ୍ଖଭବନଠାରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, କିଛିଦିନ ତଳେ ଓଡ଼ିଶା ପୋଲିସ ତତ୍ପରତା ପ୍ରକାଶ କରି ଏକ ଆନ୍ତଃରାଜ୍ୟ ରାକେଟ୍‌ ଧରିବାରେ ସକ୍ଷମ ହୋଇଛି। ଏହି ରାକେଟ୍‌ରେ ଥିବା ବାହାର ରାଜ୍ୟର ଦଲାଲମାନେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ପରୀକ୍ଷା ସମେତ ବିଭିନ୍ନ ରାଜ୍ୟରେ କେନ୍ଦ୍ରୀୟ ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ଦ୍ୱାରା ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସମ୍ପୃକ୍ତ ଅଛନ୍ତି। ଏଭଳି ଏକ ଆନ୍ତଃରାଜ୍ୟ ରାକେଟ୍‌ର ପର୍ଦ୍ଦାଫାଶ କରିଥିବା ଓଡ଼ିଶା ପୋଲିସର ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ। ଦୁର୍ଭାଗ୍ୟର ବିଷୟ ହେଲା, ଯେତେବେଳେ ଓଡ଼ିଶା ପୋଲିସ ପ୍ରଶାସନ କୌଣସି ଏକ ଅନିୟମିତତାର ପର୍ଦ୍ଦାଫାଶ କରୁଛି କିମ୍ବା ଭିଜିଲାନ୍ସ ହାତରେ ଧରାପଡ଼ିଥିବା କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓଡ଼ିଶା ଭାଜପା ଏହାକୁ ନେଇ ନିମ୍ନ ମାନର ରାଜନୀତି କରିବା ଆରମ୍ଭ କରିଦେଉଛି। ଅତୀତରେ ଗୁଜରାଟ, ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ଭାଜପା ଶାସିତ ରାଜ୍ୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ପରୀକ୍ଷା ଏପରି କି କେତେକ ସ୍ଥାନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଏସବୁ ମାମଲାରେ ମଧ୍ୟ ଏହିଭଳି କେତେକ ଦଲାଲଙ୍କ ରାକେଟ୍‌ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେତେବେଳେ ତ ଭାଜପା ନେତାମାନେ ଏହାକୁ ନେଇ ରାଜନୀତି କରୁ ନ ଥିଲେ। ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଚାଲିଛି। ଆଗକୁ ତଦନ୍ତରୁ
ଯେଉଁମାନଙ୍କ ସମ୍ପୃକ୍ତି ଥିବ ତାହା ପଦାକୁ ଆସିବ, ସେମାନଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ତଦନ୍ତ ସରି ନ ଥିବାବେଳେ ଓଡ଼ିଶା ଭାଜପା ନେତାମାନେ ଏବେଠାରୁ ଅଧୈଯର୍‌ୟ ହେଉଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ସଚେତନ ରାଜ୍ୟବାସୀ ଓଡ଼ିଶା ଭାଜପା ନେତାଙ୍କ ଏଭଳି ନକାରାମତ୍କ ରାଜନୀତିକୁ ଘୃଣା କରୁଛନ୍ତି ଏବଂ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଲେନିନ କହିଛନ୍ତି।

Share