ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ରାଜନୀତିରେ ଏବେ ଆସିଛି ନୂଆ ମୋଡ। ସଚିନ ପାଇଲଟଙ୍କୁ ହରାଇବାକୁ ପଡିଛି ଉପମୁଖ୍ୟମନ୍ତ୍ରୀ ପଦ ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ। ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓମ ମାଥୁର କହିଛନ୍ତି ପାଇଲଟଙ୍କ ପାଇଁ ଭାଜପା ଦୁଆର ଖୋଲା। ସେ କହିଛନ୍ତି କେହି ବି ନେତା ଭାଜପାର ବିଚାରଧାରାରେ ସାମିଲ ହେଲେ ଆମେ ତାଙ୍କୁ ସ୍ବାଗତ କରିଥାଉ। ସେଥିପାଇଁ ଭାଜପା ଆଜି ସବୁଠାରୁ ବଡ ଦଳ ଭାବେ ଠିଆ ହୋଇଛି। ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ କି ନାହିଁ ପ୍ରଶ୍ନ କରାଯିବାରୁ ମାଥୁର କହିଥିଲେ ଏହା ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ। ତେବେ ରାଜସ୍ଥାନରେ ଯଦି ଆଜି ଏଭଳି ପରିସ୍ଥିତି ଉପୁଜୁଛି ତାହା କେବଳ କଂଗ୍ରେସର ବ୍ୟବହାର ପାଇଁ ବୋଲି ସେ କହିଛନ୍ତି। କଂଗ୍ରେସ ପାଇଲଟଙ୍କ ସହ ଭଲ ବ୍ୟବହାର ନ କରିବାରୁ ସେ ଆଜି ଦଳରୁ ମୁହଁ ଫେରାଇ ନେଇଛନ୍ତି ବୋଲି ମାଥୁର ମତ ରଖିଛନ୍ତି। ଅନ୍ୟପଟେ ଶୁଣିବାକୁ ମିଳିଛି କି ପାଇଲଟ ଭାଜପାରେ ଯୋଗ ନ ଦେଇ ତାଙ୍କର ଏକ ସ୍ପତନ୍ତ୍ର ଦଳ ଗଠନ କରିପାରନ୍ତି।