Categories: ଜାତୀୟ

ତ୍ରିରଙ୍ଗାକୁ ଘୋଡ଼ାଇ ଦେଲା ଭାଜପା ଦଳୀୟ ପତାକା

ନୂଆଦିଲ୍ଲୀ,୨୩।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷ ଦର୍ଶନ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଭେଟେରାନ ଭାଜପା ନେତା କଲ୍ୟାଣ ସିଂଙ୍କର ଶନିବାର ମୃତ୍ୟୁ ଘଟିଥିଲା। ରବିବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ନୌ ଗସ୍ତ କରି ଶେଷ ଦର୍ଶନ କରିଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ଏକ ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କଲ୍ୟାଣ ସିଂ ମୃତଦେହକୁ ରଖାଯାଇଥିବା କଫିନକୁ ଜାତୀୟ ପତାକାରେ ଘୋଡ଼ାଇ ରଖାଯାଇଥିଲା। କିନ୍ତୁ ଜାତୀୟ ପତାକାର କିଛି ଅଂଶକୁ ଘୋଡ଼ାଇ ଦେଇଥିଲା ଭାଜପା ଦଳୀୟ ପତାକା। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିରୋଧୀ ନେତାମାନେ ଭାଜପାକୁ ସମାଲୋଚନା କରିଛନ୍ତି।

ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ବି ଭି ଟୁଇଟ୍‌ ଯୋଗେ ପ୍ରଶ୍ନ କରିଛନ୍ତି, ନୂଆ ଭାରତରେ ଜାତୀୟ ପତାକା ଉପରେ ଦଳୀୟ ପତାକା ରଖିବା କ’ଣ ଠିକ। ଜାତୀୟ ପତାକାର ଏଭଳି ଅପମାନକୁ ଭାରତ କଦାପି କ୍ଷମା କରିବ ନାହିଁ। ଆଇନ ଅନୁଯାୟୀ, ସର୍ବସାଧାରଣରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ତ୍ରିରଙ୍ଗାକୁ ଲିଖିତ କିମ୍ବା ଆକ୍ଷରିକ ଶବ୍ଦ ଦ୍ୱାରା କିମ୍ବା କୌଣସି କାର୍ଯ୍ୟ ଦ୍ୱାରା ଅସମ୍ମାନିତ କରିବା ଏକ ଦଣ୍ଡନୀୟ ଅପରାଧ। ଏଥି ଲାଗି ଦୋଷୀଙ୍କୁ ୩ ବର୍ଷ ଜେଲ ଦଣ୍ଡ କିମ୍ବା ଆର୍ଥିକ ଦଣ୍ଡ କିମ୍ବା ଉଭୟରେ ଦଣ୍ଡିତ କରାଯାଇପାରେ।

Share