Categories: ଜାତୀୟ

ପ୍ରଚାରରେ ଭାଜପା ରଙ୍ଗରେ ସଜ୍ଜିତ ଘୋଡ଼ା

ଇନ୍ଦୋର,୨୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ନୂଆ ଚେହେରାଙ୍କୁ ଜନସାଧାରଣଙ୍କ ସହ ପରିଚିତ କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆୟୋଜନ କରାଯାଉଛି। ଆଗକୁ ଥିବା ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପଦ ଯାତ୍ରାରେ ଭାଗ ନେଇଥିବା ଏକ ଘୋଡ଼ାକୁ ନେଇ ବେଶ୍‌ ଚର୍ଚ୍ଚ ହେଉଛି। ଜଣେ ପୂର୍ବତନ କର୍ପୋରେଟର ରାମଦାସ ଗର୍ଗ ଘୋଡ଼ାକୁ ଭାଜପା ପତାକା ରଙ୍ଗରେ ସଜେଇ ଆଣିଥିଲେ। ଘୋଡ଼ା ଉପରେ କମଳା ଓ ସବୁଜ ରଙ୍ଗ ସହ ଭାଜପାର ପଦ୍ମ ଚିହ୍ନ ମଧ୍ୟ ଅଙ୍କା ଯାଇଥିଲା।

ଏହାକୁ ବିରୋଧ କରି ଥାନାରେ ଅଭିଯୋଗ କରିଛି ଭାଜପା ଏମ୍‌ପି ମେନକା ଗାନ୍ଧୀଙ୍କ ଏନ୍‌ଜିଓ ପିପୁଲ ଫର ଆନିମଲ୍ସ (ପିଏଫ୍‌ଏ)। ଇନ୍ଦୋରର ସଂୟୋଗିତାଗଞ୍ଜ ଥାନାରେ ପଶୁଙ୍କ ବିରୋଧରେ କ୍ରୁରତା ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି। ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗ (ଇସି)ଙ୍କୁ ମଧ୍ୟ ସେମାନେ ଅବଗତ କରାଇବେ ବୋଲି କହିଛନ୍ତି।

Share