Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ୪ଭାଜପା ବିଧାୟକ ନିଲମ୍ବିତ

ରାଞ୍ଚି,୨।୮: ଝାଡ଼ଖଣ୍ଡ ବିଧାନସଭାରେ ମୌସୁମୀ ଅଧିବେଶନ ଚାଲୁଛି। ଏହି ଅଧିବେଶନରେ ବିରୋଧୀ ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ସୋମବାର ବାଚସ୍ପତି ୪ଜଣ ଭାଜପା ବିଧାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ବିଧାୟକମାନଙ୍କୁ ୨ଦିନ ପାଇଁ ବାଚସ୍ପତି ବିଧାନସଭା ଅଧିବେଶନରୁ ନିଲମ୍ବିତ କରିଛନ୍ତିି। ନିଲମ୍ବିତ ଭାଜପା ବିଧାୟକମାନେ ହେଲେ ଭାନୁ ପ୍ରତାପ ଶାହି, ଢ଼ୁଲୁ ମହତୋ, ଜୟ ପ୍ରକାଶ ଭାଇ ପଟେଲ ଏବଂ ରଣଧୀର ସିଂ। ସୂଚନାମୁତାବକ, ଗୃହରେ ଏହି ବିଧାୟକମାନେ ଦୁର୍ନୀତି ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ଦାବି କରିଥିଲେ। ସୂଚନାଯୋଗ୍ୟ, ଭାଜପା ହେମନ୍ତ ସୋରେନଙ୍କ ବିରୋଧରେ ଖଣିଜ ପଦାର୍ଥ ଲୁଟ କରିଥିବା ଅଭିଯୋଗ କରିଛି। ତେବେ ଖଣି ଲିଜ୍‌ ମାମଲାରେ ହେମନ୍ତଙ୍କ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି। ପୂର୍ବରୁ ବେଆଇନ ଖଣି ମାମଲାରେ ତାଙ୍କ ବିଧାୟକ ପଙ୍କଜ ମିଶ୍ରଙ୍କୁ ମଧ୍ୟ ଇଡି ଗିରଫ କରିଛି। ସେହିପରି ଏହି ମାମଲାରେ ପଚରାଉଚରା କରିବା ପାଇଁ ତାଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ଓରଫ୍‌ ପିଣ୍ଟୁଙ୍କୁ ମଧ୍ୟ ଇଡି କାର୍ଯ୍ୟାଳୟକୁ ଡକାଇସାରିଛି। ଫଳରେ ଏହି ସବୁ ପ୍ରସଙ୍ଗରେ ଭାଜପା ବିଧାୟକମାନେ ସୋମବାର ଗୃହରେ ହୋହାଲ୍ଲା କରିଥିଲେ। ଏଥିସହ ଏନେଇ ଆଲୋଚନା କରିବାକୁ ଚାହୁଁଥିଲେ କିନ୍ତୁ ସେମାନଙ୍କୁ ଦୁଇ ଦିନ ପାଇଁ ନିଲମ୍ବିତ କରାଯାଇଛି।

Share