Categories: ଜାତୀୟ

ଭାଜପାକୁ ମିଳିଛି କଂଗ୍ରେସ ଠାରୁ ୬ ଗୁଣା ଅଧିକ ଚାନ୍ଦା…

ନୂଆଦିଲ୍ଲୀ, ୩୧।୫ : ଶାସକ ଦଳ ଭାଜପା ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଦଳ। ୨୦୧୯-୨୦ ଏଡିଆର୍‌ ରିପୋର୍ଟ ଅନୁଯାୟୀ, ମୋଟ ସମ୍ପତ୍ତି ପରିମାଣରେ ଭାଜପା ଦେଶର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏକ ନମ୍ବର ସ୍ଥାନରେ ଥିବାବେଳେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି। ବହୁଜନ ସମାଜ ପାର୍ଟି ଦୁଇ ନମ୍ବର ସ୍ଥାନରେ ରହିଛି।

ଏଥି ସହିତ, ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି କଂଗ୍ରେସଠାରୁ ୬ଗୁଣା ଅଧିକ ଚାନ୍ଦା ପାଇଛି। ଭାଜପାକୁ ୪୭୭.୫ କୋଟି ଟଙ୍କାରୁ ଅଧିକ ଦାନ ମିଳିଛି। ଅପରପକ୍ଷରେ କଂଗ୍ରେସକୁ ୭୪.୫୦ କୋଟିରୁ ଅଧିକ ଟଙ୍କା ଦାନ ଭାବେ ମିଳିଛି। ଶାସକ ଦଳ ଭାଜପାକୁ ମିଳିଥିବା ମୋଟ ଦାର ମାତ୍ର ୧୫ ପ୍ରତିଶତ କଂଗ୍ରେସକୁ ମିଳିଛି। ମଙ୍ଗଳବାର ନିର୍ବାଚନ ଆୟୋଗ ଉଭୟ ଦଳ ଗ୍ରହଣ କରିଥିବା ଦାନର ରିପୋର୍ଟ ପ୍ରକାଶ କରିଛନ୍ତି।

ଏହି ରିପୋର୍ଟ ଅନୁଯାୟୀ, ବିଭିନ୍ନ ଅନୁଷ୍ଠାନ, ନିର୍ବାଚନ ଟ୍ରଷ୍ଟ ଏବଂ ବ୍ୟକ୍ତିବିଶେଷଙ୍କ ଠାରୁ ଭାଜପା ୪,୭୭,୫୪,୫୦,୦୭୭ ଟଙ୍କା ପାଇଛି। ଭାରତୀୟ ଜନତା ପାର୍ଟି ଚଳିତ ବର୍ଷ ମାର୍ଚ୍ଚ ୧୪ ରେ ନିର୍ବାଚନ ଆୟୋଗଙ୍କ ନିକଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାପ୍ତ ଦାନର ବିବରଣୀ ଦାଖଲ କରିଥିଲା।

ଏଥି ସହିତ, ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ଏହା ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ଠାରୁ ୭୪,୫୦,୪୯,୭୩୧ ଟଙ୍କା ଚାନ୍ଦା ଆକାରରେ ପାଇଛି।

୨୦୧୯-୨୦ରେ ଭାଜପାର ସମ୍ପତ୍ତି ପରିମାଣ ୪୮୪୭ କୋଟି ଟଙ୍କା ଥିଲା। କଂଗ୍ରେସ ଏହାର ସମ୍ପତ୍ତି ୫୮୮.୧୬ କୋଟି ଟଙ୍କା ବୋଲି ଘୋଷଣା କରିଥିଲା।

Share