Categories: ଜାତୀୟ

ଗୁଜରାଟରେ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ କି ଭାଜପା: କେଜ୍‌ରିଓ୍ବାଲ

ଅହମ୍ମଦାବାଦ,୪।୮: ଆମ ଆଦମୀ ପାର୍ଟି ସଂଯୋଜକ(ଏଏପି) ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ଟୁଇଟ କରି ଭାଜପାକୁ ଏକ ବଡ଼ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଗୁଜରାଟରେ ଏଏପିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ଦେଖି ଭାଜପା ଅତ୍ୟନ୍ତ କ୍ରୋଧିତ ହେବାରେ ଲାଗିଛି। ତେବେ ଗୁଜରାଟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ଭାଜପା ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କି ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି। ଏଥିସହ ଭୁପେନ୍ଦ୍ରଭାଇ ପଟେଲଙ୍କ କାର୍ଯ୍ୟରେ ଭାଜପା ଅସନ୍ତୁଷ୍ଟ ଅଛି କି ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଗୁଜରାଟରେ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଠାରେ ଭାଜପା କ୍ଷମତାରେ ଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରହିଛି। ଏଭଳି ସ୍ଥିତିରେ ଏଏପି ସରକାର ଗଢ଼ିବାକୁ ଏବେଠାରୁ ଉଦ୍ୟମ ଚଳାଇଛି। ଏଥିପାଇଁ ଲଗାତର ଭାବେ ଅରବିନ୍ଦ କେଜ୍‌ରିୱାଲ ଗୁଜରାଟ ଗସ୍ତ କରି ଏବେଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେଣି। ଏଥିସହ ଜନସାଧାରଣଙ୍କୁ ଗୁଜରାଟରେ ଦିଲ୍ଲୀ ମଡେଲ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ନିକଟରେ ଏଏପି ୧୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲେ। ଗୁଜୁରାଟର ସମସ୍ତ ୧୮୨ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଏଏପି ପକ୍ଷରୁ ସୂଚନା ଦିଆଯାଇଛି।

Share