ଇଲେକ୍ଟୋରାଲ ବଣ୍ଡରେ ଭାଜପାକୁ ମିଳିଛି ସର୍ବାଧିକ ଟଙ୍କା, ଜାଣନ୍ତୁ ବିଜେଡି ପାଇଛି କେତେ ?

ଭୁବନେଶ୍ୱର,୧୬।୨: ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଅଦ୍ୟାବଧି ରାଜନୈତିକ ଦଳଗୁଡ଼ିକୁ ଏହାର ବିକ୍ରିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା। ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା ଭାଜପା ପାଇଁ ବଡ଼ ଝଟକା।

ନିର୍ବାଚନ କମିଶନ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପାଖରେ ଥିବା ତଥ୍ୟ ଅନୁଯାୟୀ ଗତ ଆର୍ଥତ୍କ ବର୍ଷ ସୁଦ୍ଧା ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ ପାଇଥିବାବେଳେ ସେଥିରୁ ଶାସକ ଭାଜପାର ଭାଗ ଥିଲା ୫୫ ପ୍ରତିଶତ ବା ୬,୫୬୫ କୋଟି ଟଙ୍କା।

ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ମୋଟ ଚାନ୍ଦାର ୯୦ ପ୍ରତିଶତରୁ ଅଧିକ ଉକ୍ତ ବଣ୍ଡ୍‌ରୁ ପାଇଛନ୍ତି। ତେବେ ମୋଟାମୋଟି ଦେଖିଲେ ଇଲେକ୍ଟୋରାଲ ବଣ୍ଡ୍‌ରୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦା ମୋଟ ଆୟର ଅଧାରୁ ଅଧିକ।

ତାଲିକାରେ ଭାଜପା ପଛକୁ ୧୧୨୩ କୋଟି ଟଙ୍କା ସହ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ରହିଛି। ୧୦୯୨ କୋଟି ସହ ତୃଣମୂଳ କଂଗ୍ରେସ ତୃତୀୟରେ, ୭୭୪ କୋଟି ଟଙ୍କା ସହ ବିଜୁ ଜନତା ଦଳ ଚତୁର୍ଥରେ ରହିଛି। ସେହିଭଳି ୬୧୬ କୋଟି ସହିତ ଡିଏମକେ ପଞ୍ଚମରେ, ୩୮୩ କୋଟି ସହ ଟିଆରଏସ ଷଷ୍ଠରେ, ୱାଇଏସଆରସିପି ୩୮୨ କୋଟି ସହିତ ସପ୍ତମରେ, ଟିଡ଼ିପି ୧୪୬ କୋଟି ସହିତ ଅଷ୍ଟମରେ, ଏସଏଚଏସ ୧୦୧ କୋଟି ସହିତ ନବମର ଥିବା ବେଳେ ୯୪ କୋଟି ସହ ଏଏପି ଦଶମରେ ରହିଛି।

Share