Categories: ଜାତୀୟ

ମଣିପୁରରେ ପୁଣି ବିକ୍ରି ହେବ ମଦ, ବିହାରରେ ତେଜିଲା ଦାବି

ଇମ୍ଫାଲ,୮।୧୨: ମଣିପୁରରେ ପୁଣି ବିକ୍ରି ହେବ ମଦ। ରାଜ୍ୟରେ ମଦ ନିଷେଧ ଆଇନକୁ ପ୍ରତ୍ୟାହାର କରାଯାଇଛି। ୩୦ବର୍ଷ ତଳେ ରାଜ୍ୟରେ ମଦବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଯାହାକୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ଭାଜପା ନେତୃତ୍ୱାଧିନ  ସରକାର। ରାଜ୍ୟ କ୍ୟାବିନେଟ ରାଜସ୍ବ ବଢାଇବା ସହ ବିଷାକ୍ତ ମଦ ଚାଲାଣ ରୋକିବା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ  ଆଣିବା ଲାଗି  ଏହି ବ୍ୟବସ୍ଥା କରିଛନ୍ତି।

ସୂଚନା ଥାଉ କି, ୨୦୨୨ ସେପ୍ଟେମ୍ବରରେ ମଦବିକ୍ରି ଉପରେ ଲଗାଯାଇଥିବା ନିଷେଧାଦେଶକୁ ଆଶିଂକ କୋହଳ କରାଯାଇଥିଲା। ଜିଲା ମୁଖ୍ୟାଳୟ, ୨୦ଟି ବେଡ ଥିବା ହୋଟେଲ ଓ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ଓ ଆମଦାନୀକୁ ଅନୁମତି ଦିଆଯାଇଥିଲା।

ତେବେ ମଣିପୁରରେ ମଦବନ୍ଦ ଉପରେ ଲଗାଯାଇଥିବା ନିଷେଧାଦେଶ ଉଠିବା ନିଷ୍ପତ୍ତି ପରେ ଏବେ ବିହାରରେ ଏନେଇ ଦାବି କରାଯାଇଛି। କନଫେଡେରେଶନ ଅଫ ଇଣ୍ଡିଆ ଆଲକୋହଲିକ ବେଭେରେଜ କମ୍ପାନୀ(ସିଆଇଏବିସି) ବିହାର ସରକାରଙ୍କୁ ଏ ସମ୍ପର୍କରେ ବିଚାର କରିବାକୁ ଅପିଲ କରିଛି। ସିଆଇଏବିସିର ମହାନିର୍ଦ୍ଦେଶକ ବିନୋଦ ଗିରି କହିଛନ୍ତି, ତିନି ଦଶନ୍ଧିରୁ ଅଧିକ ଦିନ ଧରି ନିଷେଧ କରାଯାଇଥିବା ଆଇନକୁ ମଣିପୁର ସରକାର ଶେଷ କରିଛନ୍ତି। ଏହା ତାଙ୍କର ଏକ ସକାରାତ୍ମକ ପଦକ୍ଷେପ। ଏହାଦ୍ୱାରା ବାର୍ଷିକ ୬୦୦-୭୦୦କୋଟି ଟଙ୍କା ରାଜସ୍ବ ଆସିବା ସହ ଅବୈଧ ଓ ନିଶାଯୁକ୍ତ ଔଷଧର ବିକ୍ରିରେ ମଧ୍ୟ ଲଗାମ ଲାଗିବ।

Share