Categories: ଜାତୀୟ

୭୦ ବର୍ଷରେ ହୋଇ ନ ଥିବା କାମ ୯ ବର୍ଷରେ କରିଛନ୍ତି ଭାଜପା ସରକାର: ମୁହାଁମୁହିଁ ହେଲେ ଚିଦାମ୍ବରମ-ଜ୍ୟୋତିରାଦିତ୍ୟ…

ମୁମ୍ବାଇ,୩୧।୭ : କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶାସନ ସମୟରେ ନିର୍ମିତ ତଥା ପରିଚାଳିତ ବିମାନବନ୍ଦର ସଂଖ୍ୟା ବିଷୟରେ ଲୋକଙ୍କୁ ବିଭ୍ରାନ୍ତ କରିଥିବାର ଅଭିଯୋଗ କରିଛନ୍ତି। ବାସ୍ତବରେ କଂଗ୍ରେସ ନେତା ପି ଚିଦାମ୍ବରମ ଏକ ଟୁଇଟ କରି ଅଭିଯୋଗ କରିଥିlଲେ, ଗତ ୭ ବର୍ଷରେ ସେମାନେ ୭୪ ବିମାନବନ୍ଦର ନିର୍ମାଣ କରିଛନ୍ତି ବୋଲି ସରକାରଙ୍କ ଦାବି ମନଗଢ଼ା ଏବଂ ମିଥ୍ୟା ଅଟେ। ୨୦୧୪ ମେ ୧୧ ଠାରୁ କେବଳ ୧୧ ଟି ନୂତନ ବିମାନବନ୍ଦର ନିର୍ମାଣ କରାଯାଇଛି ଏବଂ କାର୍ଯ୍ୟକ୍ଷମ ଅଛି। ୭୪ ବିମାନବନ୍ଦର ମଧ୍ୟରେ ୯ ଟି ହେଲିକପ୍ଟର ଷ୍ଟେଶନ ଏବଂ ଦୁଇଟି ୱାଟରଡ୍ରୋମ ଅନ୍ତର୍ଭୁକ୍ତ ରହିଛି।

ଚିଦାମ୍ବରମ କହିଥିଲେ ଉଦଘାଟନ ପରେ ଖୁବ ଶୀଘ୍ର ୱାଟରଡ୍ରୋମ ବନ୍ଦ ହୋଇଯାଇଥିଲା। ୭୪ ବିମାନବନ୍ଦର ମଧ୍ୟରୁ ୧୫ଟି ଆଉ ବ୍ୟବହାରରେ ନାହିଁ, କାରଣ ବିମାନ ନାହିଁ। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ୪୭୯ ଟି ନୂଆ ରୁଟ ଆରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୨୫ ଟି କାର୍ଯ୍ୟକ୍ଷମ ହେଉ ନାହିଁ। ଏହା ସହିତ କଂଗ୍ରେସ ନେତା ବିମାନବନ୍ଦର ବିଷୟରେ ଏହି ସୂଚନା ପ୍ରଦାନ କରିଥିବାରୁ ଏକ ବାମପନ୍ଥୀ ଖବରକାଗଜକୁ ଧନ୍ୟବାଦ ଜଣାଇବା ସହ ଦାବି କରିଥିଲେ ସରକାରଙ୍କ ପ୍ରତ୍ୟେକ ଯୋଜନା ଆଂଶିକ ସତ୍ୟ ଏବଂ ଅଧିକାଂଶ ମିଥ୍ୟା ବୋଲି କୁହାଯାଇପାରିବ। ଅହଂକାର ଏବଂ ଏକଛତ୍ରବାଦ ହେଉଛି ବର୍ତ୍ତମାନର ସରକାରଙ୍କ ପରିଚୟ।

ଏହାର ଜବାବରେ ଜ୍ୟୋତିରାଦିତ୍ୟ କହିଛନ୍ତି, ପିଏମ ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ସରକାର ନେତୃତ୍ୱରେ ୭୪ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଛି। ୭୦ ବର୍ଷରେ ହୋଇ ନ ଥିବା କାମ ୯ ବର୍ଷରେ କରିଛନ୍ତି ଭାଜପା ସରକାର।
ଉଡାଣ ଯୋଜନା ଅଧୀନରେ ୧.୨୩ କୋଟିରୁ ଅଧିକ ଲୋକ ଏବଂ ୨.୨୩ ଲକ୍ଷ ବିମାନ ଉଡ଼ାଣ କରିଛନ୍ତି। ଯାହାର ସମ୍ଭାବନା ୟୁପିଏ ଶାସନ ସମୟରେ ଶୂନ ଥିଲା। ଏହା ଏକ ସତ୍ୟ ଯାହା ସମ୍ବେଦନଶୀଳ ଟୁଇଟର ପୋଷ୍ଟ ଦ୍ୱାରା ଲିଭାଯାଇପାରିବ ନାହିଁ ।

Share