Categories: ଜାତୀୟ

ବଜେଟ୍‌ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର, ଟିଏମ୍‌ସି କହିଲା…

ନୂଆଦିଲ୍ଲୀ, ୨୧।୭: ସଂସଦର ମୌସୁମୀ ଅଧିବେସନ ପୂର୍ବରୁ ସରକାର ଆଜି ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆସନ୍ତା ୨୨ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ୨୩ ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବେ । ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉଭୟ ଗୃହରେ ରାଜନୈତିକ ଦଳର ନେତାଙ୍କ ସହ ଏକ ବୈଠକ କରିବେ। ସଂସଦ ଗୃହର ମୁଖ୍ୟ କମିଟି କୋଠରୀରେ ସକାଳ ୧୧ଟାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ।

ତେବେ ପ୍ରଥମ ଥର ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିରୋଧୀଦଳର ନେତା ଭାବରେ ଅଧିବେଶନ ଆରମ୍ଭ ପୂର୍ବରୁ ଏହି ସର୍ବଦଳୀୟ ବୈଠକରେ ଯୋଗଦେବେ । ଅନ୍ୟପଟେ ତୃଣମୂଳ କଂଗ୍ରେସ ଜୁଲାଇ ୨୧କୁ ଶହୀଦ ଦିବସ ଭାବରେ ପାଳନ କରୁଥିବାରୁ ଦଲର କୌଣସି ପ୍ରତିନିଧି ଏହି ବୈଠକରେ ଯୋଗଦେବେ ନାହିଁ । ତୃଣମୂଳ କଂଗ୍ରେସ ସଂସଦୀୟ ଦଳର ନେତା ଡେରେକ ଓ’ବ୍ରାଇନ ରିଜିଜୁଙ୍କୁ ଏକ ଚିଠି ଲେଖି ତାଙ୍କ ଦଳର ସଦସ୍ୟ ଏହି ସଭାରେ ଯୋଗ ଦେଇ ପାରିବେ ନାହିଁ ବୋଲି ଜଣାଇଛନ୍ତି ।

Share