Categories: ଜାତୀୟ

ମଣିପୁର ହିଂସାରେ ଭାଜପା ସରକାର ବିଫଳ ହୋଇଛନ୍ତି, ବିରେନ ସିଂଙ୍କୁ ଶୀଘ୍ର ହଟାନ୍ତୁ: ସିପିଆଇଏମର ଦାବି…

ଇମ୍ଫାଲ,୧୯।୮ : ବରିଷ୍ଠ ସିପିଆଇ (ଏମ) ନେତା ଜିତେନ୍ଦ୍ର ଚୌଧୁରୀ ମଣିପୁରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାରେ ଭାଜପା ସରକାର ବିଫଳ ହୋଇଥିବା କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି। ତ୍ରିପୁରା ୟୁନିଟର ସାଧାରଣ ସମ୍ପାଦକ ତଥା ସିପିଆଇ (ଏମ) ପ୍ରତିନିଧି ଦଳର ସଦସ୍ୟ ଜିତେନ୍ଦ୍ର ଅଭିଯୋଗ କରିଛନ୍ତି ଉତ୍ତର-ପୂର୍ବ ରାଜ୍ୟରେ ଜାତିଗତ ହିଂସା ଭାଜପା-ଆରଏସଏସ ରଣନୀତିର ଏକ ଅଂଶ ଯାହାକି ଦେଶରେ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ।

ତେବେ ସିପିଆଇ (ଏମ) ନେତାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଭାଜପା କହିଛି। ତ୍ରିପୁରା ଭାଜପା ମୁଖପାତ୍ର ସୁବ୍ରତ ଚକ୍ରବର୍ତ୍ତୀ ଜିତେନ୍ଦ୍ରଙ୍କ ମନ୍ତବ୍ୟରେ ସତ୍ୟତା ନ ଥିବା କହିଛନ୍ତି। ରାଜ୍ୟ ଶାନ୍ତି ପଥରେ ଅଛି। ଉତ୍ତର-ପୂର୍ବ ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ କେନ୍ଦ୍ର ଓ ମଣିପୁର ସରକାର ଚେଷ୍ଟା କରୁଛନ୍ତି। କେତେକ ଘଟଣା ରିପୋର୍ଟ କରାଯାଉଥିଲେ ମଧ୍ୟ ସାମଗ୍ରିକ ସ୍ଥିତିରେ ସୁଧାର ଆସିଛି।

ମଣିପୁରରେ ହିଂସାକୁ ଆମେ ଏକ ପୃଥକ ପରିସ୍ଥିତି ଭାବରେ ଦେଖୁନାହୁଁ। ମାତ୍ର ଏଭଳି କାର୍ଯ୍ୟ ଦ୍ୱାରା ଭାଜପା ଲୋକଙ୍କ ମଧ୍ୟାରେ ଅବିଶ୍ୱାସ ଭାଜପା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଦେଶର ସବୁ ସ୍ଥାନରେ ଏଭଳି ଘଟଣା ଘଟୁଛି।

ସିପିଆଇ (ଏମ) ଜାତୀୟ ମହାସଚିବ ସୀତାରାମ ୟେଚୁରି କହିଛନ୍ତି ଦିନେ ଏକାଠି ବସବାସ କରୁଥିବା ଲୋକେ ଆଜି ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିବାରୁ ମଣିପୁରର ଅବସ୍ଥା ଚିନ୍ତାଜନକ ହେବାରେ ଲାଗିଛି। ଶାନ୍ତି ଆଣିବା କ୍ଷେତ୍ରରେ ରାଜ୍ୟରେ ବିରେନ ସିଂ ସରକାର କୌଣସି ଠୋସ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି।

କୁହାଯାଇଥିଲା ମଣିପୁରର ପରିସ୍ଥିତି ଉପରେ କେନ୍ଦ୍ର ନଜର ରଖିବ କିନ୍ତୁ ବାସ୍ତବତା ବହୁତ ଅଲଗା। ତାଙ୍କର ବହୁ ଚର୍ଚ୍ଚିତ ଇସ୍ତଫା ଡ୍ରାମା ପରେ ବିରେନ ସିଂ ଆଜି ପର୍ଯ୍ୟନ୍ତ ନାଟକ ଚଳାଇ ଚାଲିଛନ୍ତି। ୟେଚୁରୀ କହିଛନ୍ତି ଯେ ମଣିପୁରରେ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ବରଖାସ୍ତ କରିବାକୁ ଆମେ ଦାବି କରୁନାହୁଁ, ବରଂ ବିରେନ ସିଂଙ୍କୁ ତୁରନ୍ତ ହଟାଇବାକୁ ଦାବି କରୁଛୁ।

Share