Categories: ଜାତୀୟ

ସମ୍ବିଧାନ ଦାୟିତ୍ୱବୋଧ ଇଞ୍ଜିନକୁ ବନ୍ଦ କରି ଚାବି ଫିଙ୍ଗି ଦେଇଛନ୍ତି ଭାଜପା ସରକାର: ଚିଦାମ୍ବରମ…

ନୂଆଦିଲ୍ଲୀ,୨।୮ : ମଣିପୁର ହିଂସାକୁ ନେଇ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ ଅଭିଯୋଗ କରିଛନ୍ତି ହିଂସା ପ୍ରଭାବିତ ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସାମ୍ବିଧାନିକ ଦାୟିତ୍ୱବୋଧର ଇଞ୍ଜିନକୁ ବନ୍ଦ କରି ଚାବି ଫିଙ୍ଗି ଦେଇଛନ୍ତି।

ମଣିପୁର ହିଂସା ମାମଲାରେ ବିରୋଧୀ ଦଳ କେନ୍ଦ୍ର ରାଜ୍ୟ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି। ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ନିରୀକ୍ଷଣ ପରେ ଚିଦାମ୍ବରମଙ୍କ ମନ୍ତବ୍ୟ ଆସିଛି ଯେଉଁଥିରେ ମଣିପୁରରେ ଆଇନ ଶୃଙ୍ଖଳା ଏବଂ ସାମ୍ବିଧାନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି ବୋଲି କୋର୍ଟ କହିଛନ୍ତି।

ପି ଚିଦାମ୍ବରମ ଟୁଇଟ କରି କହିଛନ୍ତି ମଣିପୁର ସରକାରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଦିଲ୍ଲୀରେ ପିଏମଓ ଏବଂ ଇମ୍ଫାଲରେ ସିଏମଓ ପହଞ୍ଚିବାକୁ କେତେ ସମୟ ଲାଗିବ? ଯଦି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କର କୌଣସି ସାମ୍ବିଧାନିକ ନୈତିକତା ଅଛି ତେବେ ସେ ତୁରନ୍ତ ଇସ୍ତଫା ଦେବା ଉଚିତ। ଯେଉଁମାନେ ରାଜଧର୍ମକୁ ଅନୁସରଣ କରନ୍ତି, ସେମାନେ କେବଳ ରାଜଧର୍ମ ଉପରେ ଭାଷଣ ଦେଇପାରିବେ।

ମଣିପୁର ହିଂସାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ରାଜ୍ୟ ପୋଲିସ ଏହି ମାମଲାର ଖୁବ ଧୀରେ ଧୀରେ ଅନୁସନ୍ଧାନ କରୁଛି, ବିଶେଷ କରି ମହିଳାଙ୍କ ପ୍ରତି ହେଉଥିବା ଅପରାଧର ତଦନ୍ତ ଅତ୍ୟନ୍ତ ମନ୍ଥର। ମଣିପୁର ଡିଜିପିଙ୍କୁ କୋର୍ଟ ଡକାଇ ୭ ଅଗଷ୍ଟ ସୁଦ୍ଧା ଉତ୍ତର ମାଗିଛନ୍ତି।

ଚିଦାମ୍ବରମ କହିଛନ୍ତି କେନ୍ଦ୍ର ସରକାର ସାମ୍ବିଧାନିକ ଦାୟିତ୍ୱବୋଧ ଅନ୍ତର୍ଗତ ଧାରା ୩୫୫ ଅନୁଯାୟୀ, ବାହ୍ୟ ଆକ୍ରୋଶ ଏବଂ ଆଭ୍ୟନ୍ତରୀଣ ବିଶୃଙ୍ଖଳା ପରିସ୍ଥିତିରେ ରାଜ୍ୟର ସୁରକ୍ଷା ପାଇଁ ପଦକ୍ଷେପ ନେଇପାରିବେ। ଏଥି ସହିତ, ଧାରା ୩୫୬ ଅନୁଯାୟୀ ରାଜ୍ୟରେ ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରାଯାଇପାରିବ। ମଣିପୁରରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ବିରୋଧୀ ଦାବି କରୁଛନ୍ତି।

Share