Advertisement

‘ଲୋକଙ୍କ ନିକଟତର ହେବାକୁ ଚାହୁଁଛି ଭାଜପା ସରକାର’

ଭବାନୀପାଟଣା,୫ା୩(ଉତ୍ତମ କୁମାର ଦାଶ): ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ୨୦୨୫-୨୬ବର୍ଷ ପାଇଁ ୨ଲକ୍ଷ ୯୦ହଜାର କୋଟି ଆର୍ଥିକ ବଜେଟ ଉପସ୍ଥାପନା କରାଯାଇଛି। ଏହା ଓଡ଼ିଶାର ସାଧାରଣ ଲୋକଙ୍କ ବଜେଟ। ଭାଜପା ସରକାର ଲୋକଙ୍କ ନିକଟତର ହେବାକୁ ଚାହୁଁଛି ବୋଲି ବୁଧବାର ଭବାନୀପାଟଣା ସର୍କିଟ ହାଉସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଏହି ବଜେଟରେ ଚାଷୀ, ମହିଳା, ଯୁବବର୍ଗ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି ଓ ଜଳସେଚନ, ନଗର ଉନ୍ନୟନ, ପୁଞ୍ଜି ନିବେଶ, ଶିଳ୍ପାୟନ, ଭିତ୍ତିଭୂମି ଭଳି ସମସ୍ତ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟର ୫୮ଟି ସବ୍‌ଡିଭିଜନରେ ୬୦କୋଟି ବ୍ୟୟରେ ଶୀତଳଭଣ୍ଡାର ନିର୍ମାଣ କରାଯିବ। ଏଥିରେ କଳାହାଣ୍ଡି ଜିଲାର ଭବାନୀପାଟଣା ଓ ଧର୍ମଗଡ ସବ୍‌ଡିଭିଜନରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ସେହିପରି ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୯୮ଲକ୍ଷ ମହିଳା ଉପକୃତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ପୁଣି ୨ଲକ୍ଷ ମହିଳାଙ୍କୁ ସଂଯୋଗ କରାଯିବ। ଏହିସବୁ ଯୋଜନା କିଭଳି ଠିକ୍‌ ଭାବେ ରୂପାୟନ ହୋଇପାରିବ ଓ ଏହାଦ୍ୱାରା ସାଧାରଣ ଲୋକେ କିଭଳି ଫାଇଦା ପାଇପାରିବେ ସେ ଉପରେ ଆମେ ଯତ୍ନବାନ ଅଛୁ ବୋଲି ମନ୍ତ୍ରୀ ଖୁଣ୍ଟିଆ କହିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଲୋକ ସଭା ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲା ସଭାପତି ଯୁଗଳ କିଶୋର ପୋଢ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର ପ୍ରମୁଖ ଯୋଗଦେଇଥିଲେ। ଜିଲା ଉପସଭାପତି ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share