ଭାଜପାରେ ଗୋଷ୍ଠୀ କନ୍ଦଳ: ଗାନ୍ଧୀ ଜୟନ୍ତୀ ପାଳନବେଳେ ଉତ୍ତେଜନା, ଝାଡୁମାଡ଼

ଯାଜପୁର/ଜେନାପୁର,୩ା୧୦ (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପାର ଗୋଷ୍ଠୀ କନ୍ଦଳ ବୁଧବାର ଉଗ୍ରରୂପ ଧାରଣ କରିଛି। ଗାନ୍ଧୀ ଜୟନ୍ତୀ ପାଳନ ବେଳେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, କର୍ମୀଙ୍କ ମଧ୍ୟରେ ଠେଲାପେଲା, ଗାଳିଗୁଲଜ ଓ ଝାଡ଼ୁମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ, ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତର ବାରକଣା ହାଟ ପଡ଼ିଆରେ ଭାଜପା ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଆୟୋଜନ କରାଯାଇଥିଲା। ହେଲେ ସେଠାରେ ଭାଜପାର ୨ ଗୋଷ୍ଠୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଉଭୟ ଗୋଷ୍ଠୀର ସମର୍ଥକ ମୁହଁାମୁହିଁ ହୋଇଥଲେ। ପୋଲିସ ଉଭୟ ଗୋଷ୍ଠୀର ସଂପୃକ୍ତ ସମର୍ଥକଙ୍କୁ ଥାନାକୁ ଡାକି ତଦନ୍ତ ଚଳାଇଛି।
ଗତ ସାଧାରଣ ନିର୍ବାଚନରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଦୁଇ ଆଶାୟୀଙ୍କ ମଧ୍ୟରୁ ସ୍ମୃତିରେଖା ପହିଙ୍କୁ ଦଳ ଟିକେଟ ଦେଇଥିଲାବେଳେ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ବାଦ ଦିଆଯାଇଥିଲା। ଏହାପରେ ଲିକୁ ସ୍ବାଧୀନ ଭାବେ ନିର୍ବାଚନ ଲଢି ବିଜେଡିର ପ୍ରଣବ ବଳଓ୍ବନ୍ତରାୟଙ୍କୁ ପରାଜିତ କରିଥିଲେ। ପରବର୍ତ୍ତୀ ସମୟରେ ବିଧାୟକ ଲିକୁ ଭାଜପାକୁ ସମର୍ଥନ କରିଥିଲେ। ନିର୍ବାଚନ ପ୍ରଚାର ସମୟରୁ ସ୍ମୃତିରେଖା ଓ ଲିକୁଙ୍କ ସମର୍ଥକଙ୍କ ମଧ୍ୟରେ ବିଭିନ୍ନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି।
ବିଧାୟକ ଲିକୁଙ୍କ ସମର୍ଥକ ତିଲୋତ୍ତମା ମଲ୍ଲିକଙ୍କ ଅଭିଯୋଗ ଅନୁସାରେ ଘଟଣାସ୍ଥଳରେ ସଫେଇ କାର୍ଯ୍ୟକ୍ରମ ଚାଲିଥିବାବେଳେ ଭାଜପା ପ୍ରାର୍ଥୀନୀ ପହିଙ୍କ ସମର୍ଥକ ସରସ୍ବତୀ ଖଟୁଆଙ୍କୁ ଗାଳିଗୁଲଜ ସହ ଝାଡ଼ୁରେ ମାଡ଼ ମାରି ଆହତ କରିଥିଲେ। ଆହତ ସରସ୍ବତୀଙ୍କୁ ମେଡିକାଲ ନେବା ସମୟରେ ଦୁଃଖପ୍ରକାଶ କରି ଆକ୍ରମଣକାରୀଙ୍କୁ ସେ ଭର୍ସନା କରିଥିଲେ। ଏହାପରେ ଆକ୍ରମଣକାରୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏପରିକି ସେମାନେ ଝାଡୁରେ ମାରପିଟ କରିଥିଲେ ବୋଲି ଥାନାରେ ଲିଖିତ ସେ ଅଭିଯୋଗ କରିଛନ୍ତି। ସେହିପରି ବାରକଣା ଗ୍ରାମ କମିଟିର ମୁଖିଆ ମଙ୍ଗୁଳି ଚରଣ ସାହୁଙ୍କ ଅଭିଯୋଗ ଅନୁସାରେ ବିଧାୟକଙ୍କ ସମର୍ଥକ ୫ରୁ ଉର୍ଦ୍ଧ୍ୱ ବୋଲେରୋ ଗାଡିରେ ଆସି ମାଇକ ବଜାଇ ହୋହଲ୍ଲା କରିଥିଲେ। ଏଠାରେ ଯିଏ ଗାନ୍ଧୀ ଜୟନ୍ତୀ ପାଳିବ ସେମାନଙ୍କ ମୁଣ୍ଡଗଣ୍ଡି ଅଲଗା କରି ଦିଆଯିବ। ଗ୍ରାମ ମନ୍ଦିରକୁ ଆସୁଥିବା ମହିଳାଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ସରସ୍ବତୀ ସାହୁ ପ୍ରତିବାଦ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ମଙ୍ଗୁଳି ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଜେନାପୁର ଥାନାରେ ଭାଜପା ବିଧାୟିକା ପ୍ରାର୍ଥୀନୀ ପହିଙ୍କ ସମର୍ଥକଙ୍କ ପକ୍ଷରୁ ଦୁଇଟି ଏବଂ ବିଧାୟକ ସାହୁଙ୍କ ସମର୍ଥକଙ୍କ ପକ୍ଷରୁ ତିନୋଟି ଏତଲା ଦିଆ ଯାଇଛି।

Share