Categories: ଜାତୀୟ

ପ୍ରଶ୍ନ କଲେ ତେଜସ୍ବୀ: ଭାଜପା ବିହାରରେ ୧୯ ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲା, ୧୯ଟି ଦେଇଛି କି…

ନୂଆଦିଲ୍ଲୀ,୧୨।୮: ବିହାରରେ ଭାଜପା ସରକାର ୧୯ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କ’ଣ ସେ ୧୯ଜଣଙ୍କୁ ଚାକିରି ଦେଇଛନ୍ତି କି ବୋଲି ଶୁକ୍ରବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରଶ୍ନ କରିଛନ୍ତି। ସେହିଭଳି ଭାଜପା ଦେଶରେ ୨ କୋଟି ଚାକିରି ଦେବା ବିଷୟରେ କହିଥିବା ବେଳେ କେବଳ ୮୦ ଲକ୍ଷ ଚାକିରି ଦିଆଯାଇଥିବା ସେ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ତେଜସ୍ବୀ ଏବଂ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ତେଜସ୍ବୀଙ୍କ ଏକ ସାକ୍ଷାତକାରର ଭିଡିଓ ଶେୟାର କରି ତାଙ୍କୁ କଟାକ୍ଷ କରିଥିଲେ। ଭିଡିଓରେ ତେଜସ୍ବୀ ବିହାରର ଯୁବକମାନଙ୍କୁ ୧୦ ଲକ୍ଷ ଚାକିରି ଦେବା ସହ ଜଡ଼ିତ ଏକ ପ୍ରଶ୍ନର ଜବାବ ଦେଉଥିବା ଦେଖାଯାଇଥିଲା। ଯାହାକୁ ଶେୟାର କରି ଆର୍‌ଜେଡି ନେତା ୧୦ଲକ୍ଷ ଚାକିରିର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେଲେ ତାକୁ ପୂରଣ କରିବେ, ବର୍ତ୍ତମାନ ସେ ଉପମୁଖ୍ୟମନ୍ତ୍ରୀ ବୋଲି ମନ୍ତ୍ରୀ ଲେଖିଥିଲେ।

ଏହାର ଜବାବରେ ତେଜସ୍ବୀ କହିଛନ୍ତି, ଏକ ଏଡିଟ୍‌ କରାଯାଇଥିବା ଭିଡିଓ ଶେୟାର କରାଗଲା। ଗିରିରାଜଙ୍କ ପାଖରେ ମୋଦିଙ୍କୁ ଚାକିରି ଏବଂ ସ୍ବତନ୍ତ୍ର ପ୍ୟାକେଜ୍‌ ବିଷୟରେ ପଚରାଯିବାର ସାହସ ରହିବା ଉଚିତ୍‌। ଯାହା ସେ ବିହାରକୁ ପ୍ରତିଶ୍ରୁତି ଦେଇଥିଲା। ଭାଜପା ଏକ ମିଥ୍ୟା ଦଳ, ସେମାନେ ଗଣମାଧ୍ୟମ ସମ୍ମୁଖରେ ବସି ରୁହନ୍ତି, କାମ କ’ଣ କରନ୍ତି ବୋଲି ମଧ୍ୟ ତେଜସ୍ବୀ ପ୍ରଶ୍ନ କରିଛନ୍ତି।

Share