ରୋଷେୟା ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା ଅଫିସ,୨୫।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବ୍ରଜରାଜନଗର ଭାଜପା ପକ୍ଷରୁ ସୋମବାର ସ୍ଥାନୀୟ ରେଳଷ୍ଟେଶନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାଜପା କର୍ମକର୍ତ୍ତାମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ପରେ ଭାଜପା ନେତୃବୃନ୍ଦ ଏକ ଶୋଭାଯାତ୍ରାରେ ଯାଇ ବ୍ରଜରାଜନଗର ଥାନା ଆଇଆଇସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତଙ୍କ ଗତ ୧୭ ତାରିଖରେ ଆକସ୍ମିକ ମୃତ୍ୟୁ ହୋଇଥିଲା । ଏହାକୁ ପୋଲିସ ଆତ୍ମହତ୍ୟା ବୋଲି କହୁଥିବା ବେଳେ କାହିଁକି ରାତାରାତି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ଏ ସମ୍ପର୍କରେ ଗଣମାଧ୍ୟମ ଓ ସ୍ଥାନୀୟ ଲୋକେ କେମିତି ଜାଣିପାରିଲେ ନାହିଁ। ଏସବୁ ଦିଗକୁ ଦେଖିଲେ ଲଳିତଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ସନ୍ଦେହ ବଢିବାରେ ଲାଗିଛି। ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବାରୁ ଏହାକୁ ଚପାଇ ଦେବାକୁ ଜୋରଦାର ପ୍ରୟାସ କରାଯାଉଛି। ମନ୍ତ୍ରୀଙ୍କ ଚାପରେ ପୋଲିସ କାର୍ଯ୍ୟ କରୁଛି ବୋଲି ଅନୁମେୟ। ଏଥିପାଇଁ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ବହିଷ୍କାର କରି ନିରପେକ୍ଷ ତଦନ୍ତ କରିବା ପାଇଁ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ବିକ୍ଷୋଭରେ ସୁଜିତ ସିଂହ, ତପନ ସ୍ବାଇଁ, ଅମରେନ୍ଦ୍ର ରାୟ, ଚୈତନ୍ୟ ସିଂହ, ଜିତେନ୍ଦ୍ର ସରକାର, ଜିତେନ୍ଦ୍ର ପଟ୍ଟନାୟକ, ନବୀନ ସିଂହ, ମନିଷ ପଟେଲ ପ୍ରମୁଖ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ।