ମନ୍ଦିର ଖୋଲା ନ ଯିବା ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): କରୋନା ମହାମାରୀ ଏବଂ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୧ ଗାଇଡ୍‌ଲାଇନ ଅନୁଯାୟୀ, ଜୁନ୍‌ ୮ରୁ ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ପୃଥ୍ବିରାଜ ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଓଡ଼ିଶା ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିଛି। ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ୱେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ରହିବା ଅତ୍ୟନ୍ତ ନିନ୍ଦନୀୟ। ଅନ୍ୟ ରାଜ୍ୟରେ ମନ୍ଦିର ଏବଂ ଧର୍ମାାନୁଷ୍ଠାନଗୁଡିକ ମାନକ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି)ପାଳନ କରାଯାଇ ଖୋଲା ହୋଇଛି। ଗତ କିଛିଦିନ ତଳେ ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲାଯାଇଛି। ତିରୁପତିରେ ବାଲାଜୀଙ୍କ ମନ୍ଦିର ଏସ୍‌ଓପି ପାଳନ କରି ଖୋଲାଯାଇଥିବାରୁ ଭକ୍ତମାନେ ଦର୍ଶନ କରିପାରୁଛନ୍ତି। ଯଦି ଅନ୍ୟ ରାଜ୍ୟରେ ମନ୍ଦିର ଖୋଲାଯାଇ ପାରୁଛି ତେବେ ରାଜ୍ୟରେ ଅସୁବିଧା କେଉଁଠି ରହିଛି ବୋଲି ପୃଥ୍ବୀରାଜ କହିଛନ୍ତି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ କୋଭିଡ୍‌-୧୯ ନିୟମ ଏସ୍‌ଓପି ପାଳନ କରି ମନ୍ଦିର ଏବଂ ଧର୍ମାନୁଷ୍ଠାନ ଖୋଲନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ହସ୍ତକ୍ଷେପ କରି ମନ୍ଦିର ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପୃଥ୍ବୀରାଜ କହିଛନ୍ତି।

Share