Categories: ଜାତୀୟ

ବେରୋଜଗାର ଯୁବବର୍ଗଙ୍କ ହାତରେ ଘଣ୍ଟା ଧରାଇଛି ଭାଜପା: ଶିବସେନା…

ମୁମ୍ବାଇ,୪।୯:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନ ପୂର୍ବେ ଦେଶର ଜିଡିପି ଅଭିବୃଦ୍ଧି ୨୦ ପ୍ରତିଶତରୁ ଅଧିକ ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଭାରତର ଅର୍ଥନୀତିକୁ ଏକ ଉଚ୍ଚସ୍ତରକୁ ଆଣିଛନ୍ତି ବୋଲି ଭାଜପା ପକ୍ଷରୁ ଦାବି କରାଯାଇଥିଲା। ତେବେ ଶିବସେନାର ମୁଖପତ୍ର ’ସାମାନା’ରେ ଏହି ଦାବିକୁ ଖଣ୍ଡନ କରାଯାଇଛି। ଏହା ସହିତ ଦେଶରେ ବଢୁଥିବା ବେକାରୀଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା ହୋଇଛି। ସାମାନା ସମ୍ପାଦକୀୟରେ ଏମ୍‌ପି ସଞ୍ଜୟ ରାଉତ ଲେଖିଛନ୍ତି, ଯୁବକମାନଙ୍କ ହାତକୁ କାମ ଆବଶ୍ୟକ, କିନ୍ତୁ ଭାରତୀୟ ଜନତା ପାର୍ଟି ବେରୋଜଗାରୀଙ୍କ ହାତରେ ଘଣ୍ଟା ଧରାଇ ଦେଇଛି। ଯୁବବର୍ଗ ଏହାକୁ ବଜାନ୍ତୁ ବୋଲି ସଞ୍ଜୟ କଟାକ୍ଷ କରିଛନ୍ତି। ଯଦି ବେରୋଜଗାର ଘଣ୍ଟି ବଜାଇବା ଦ୍ୱାରା ଦୂର ହେଉଛି, ତେବେ ଦେଶର ଶିଳ୍ପ ମନ୍ତ୍ରଣାଳୟକୁ ଏମ୍ପ୍ଲୟେମେଣ୍ଟ୍‌ ଏକ୍ସଚେଞ୍ଜ୍‌ ଦ୍ୱାରରେ ଘଣ୍ଟି ଲଗାଇ ରୋଜଗାର ସୃଷ୍ଟି କରିବାର ଉଦ୍ୟମ କରାଯିବା ଆବଶ୍ୟକ ବୋଲି ସଞ୍ଜୟ କହିଛନ୍ତି।

ଏହା ସହିତ ସାମାନା ସମ୍ପାଦକୀୟରେ ଦାବି କରାଯାଇଛି ଯେ, ଅଗଷ୍ଟ ମାସରେ ’୧୬ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଗ୍ରାମାଞ୍ଚଳରେ ବେକାରୀ ସମସ୍ୟା ସଙ୍କଟ ସୃଷ୍ଟି କରିଛି। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଦର୍ଶିତ ’ଆଛେ ଦିନ’ର ଭୟାନକ ଚିତ୍ର ଏବେ ସାମ୍ନାକୁ ଆସିଛି। ଅର୍ଥମନ୍ତ୍ରୀ ସୀତାରମଣ ଦୁଇ ଦିନ ପୂର୍ବେ ଦେଶର ’ଜିଡିପି’ର ଗୋଲାପୀ ଚିତ୍ର ଉପସ୍ଥାପନ କରିଥିଲେ। ମାତ୍ର ଦୁଃଖର ବିଷୟ ଗୋଲାପର କଣ୍ଟା ଏବେ ଫୋଡ଼ିହେବାରେ ଲାଗିଛି। ଏହାର ପତ୍ର ଖସିବା ଜାରି ରହିଛି।

ମୋଦି ସରକାରଙ୍କ ପକ୍ଷରୁ ଦେଶରେ ବିମୁଦ୍ରୀକରଣ ଭଳି ଲାଗୁ କରାଯାଇଥିବା ଦାୟିତ୍ୱହୀନ ଅର୍ଥନୀତି ଦ୍ୱାରା ଦୁଇ କୋଟି ଚାକିରୀ ନଷ୍ଟ ହୋଇଯାଇଛି। ଏହା ପରେ କରୋନା ଏବଂ ଲକଡାଉନ ଆସିଲା। ଏହି ଅବଧି ମଧ୍ୟରେ ସମାନ ସଂଖ୍ୟକ ଲୋକ ଚାକିରୀ ହରାଇଛନ୍ତି। ବାଣିଜ୍ୟ, ଶିଳ୍ପ ଏବଂ ବ୍ୟବସାୟ ବନ୍ଦ ହୋଇଯାଇଛି। କିନ୍ତୁ ଯେଉଁମାନେ ଏହି ସମୟ ମଧ୍ୟରେ ଚାକିରୀ ହରାଇଲେ, ଯେଉଁମାନେ ଅଦରକାରୀ ହୋଇଗଲେ ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।

ସାମାନାରେ ଲେଖାଯାଇଛି, ମୋଦି ସରକାରଙ୍କ ୭ ବର୍ଷ ବିତିଗଲାଣି। ଏହି ଅବଧି ମଧ୍ୟରେ ଦେଶରେ କେତେ ନୂତନ ପୁଞ୍ଜି ବିନିଯୋଗ କରାଯାଇଥିଲା, କେତେ ବିଦେଶୀ ପୁଞ୍ଜି ବିନିଯୋଗ ଆସିଥିଲା, ଅର୍ଥନୀତି କେତେ ଶକ୍ତି ପାଇଲା, କେତେ ନୂତନ ନିଯୁକ୍ତି ସୃଷ୍ଟି ହେଲା, ତାହାର ସୂଚନା ସରକାର କେବେ ବି ଦେଇନାହାଁନ୍ତି। ୭ ବର୍ଷରେ ଗରିବମାନେ ଗରିବ ହୋଇଗଲେ, ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତମାନେ ମଧ୍ୟ ଗରିବ ହୋଇଯାଇଛନ୍ତି। ଚାକିରି ସୃଷ୍ଟି କରିଥିବା ବହୁ ଉଦ୍ୟୋଗୀ  ଗରିବ ହୋଇ ଯାଇଛନ୍ତି ଅବା ଦେଶ ଛାଡି ପଳାଇଥିବା ସଞ୍ଜୟ କହିଛନ୍ତି।

Share