Categories: ଜାତୀୟ

ଆନ୍ଧ୍ର ପ୍ରଦେଶରେ ଭାଜପାର ଦୁଇ ହାତରେ ଲଡୁ!

ଅମରାବତି,୨୪।୧୨: ଗତ ଲୋକ ସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଏକ ପ୍ରତିଶତରୁ କମ ଭୋଟ ପାଇଥିବା ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ଭଲ ସ୍ଥିତିରେ ଅଛି। ଏହାର କାରଣ ହେଉଛି ଯେ ରାଜ୍ୟର ଉଭୟ ମୁଖ୍ୟ ଆଞ୍ଚଳିକ ଦଳ (ଟିଡିପି ଏବଂ ଓ୍ବାଇଏସଆର କଂଗ୍ରେସ) ଭାଜପାକୁ ନିଜ ପକ୍ଷରେ ରଖିବା ପାଇଁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟରେ ମିଳିତ ମଞ୍ଚ ଗଠନ ହେବ କି ନାହିଁ ତାହା ଦ୍ୱନ୍ଦ୍ୱରେ ରହିଛି।
ଉଭୟ ଆଞ୍ଚଳିକ ଦଳର ସୂତ୍ରରୁ ପ୍ରକାଶ ଯେ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଭାରତୀୟ ଜନତା ପାର୍ଟି (ଭାଜପା)ସହ ମେଣ୍ଟ କରିବାକୁ ଚାହୁଁଥିବାବେଳେ ୨୦୧୯ର ନିର୍ବାଚନ ପରି ଆଗାମୀ ସାଧାରଣ ନିର୍ବାଚନରେ ଭାଜପା ଏକାକି ଯିବାକୁ ଚାହୁଁଛି।
ଆନ୍ଧ୍ରପ୍ରଦେଶରେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟାଲଘୁ ଭୋଟ ଓ୍ବାଇଏସଆର କଂଗ୍ରେସ ପାଇଁ ଏକ ଦୃଢ ଆଧାର ଭାବରେ ଦେଖାଯାଉଛି। ଏହାର ନେତାମାନେ ବିଶ୍ୱାସ କରୁଛନ୍ତି ଯେ ଭାଜପା ସହ ଏକ ନିର୍ବାଚନୀ ମେଣ୍ଟ ସେମାନଙ୍କ ଦଳ ପାଇଁ ଉପଯୁକ୍ତ ହେବ ନାହିଁ। ତେବେ ତାଙ୍କର ଅର୍ନିଦ୍ଦିଷ୍ଟ ସମର୍ଥନକୁ ସୂଚାଇ ଦେବା ପାଇଁ ସେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏଜେଣ୍ଡାକୁ ସମର୍ଥନ କରିଛନ୍ତି।
ଜଣେ ଓ୍ବାଇଏସଆର କଂଗ୍ରେସ ନେତା କହିଛନ୍ତି, ଭାଜପାର ନିର୍ବାଚନୀ ସହଯୋଗୀମାନଙ୍କ ସହ ମତଭେଦ ରହିଛି, କିନ୍ତୁ ଆମ ସହ କେବେ ନୁହେଁ। ଆମର ନେତା (ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନମୋହନ ରେଡ୍ଡୀ) ଭାଜପା ନେତୃତ୍ୱ ସହିତ ଭଲ ସମ୍ପର୍କ ରଖିଛନ୍ତି ଏବଂ କ୍ଷମତାରେ କୌଣସି ଅଂଶଧନ ନକରି ସେମାନଙ୍କୁ ହୃଦୟରୁ ସମର୍ଥନ କରିଛନ୍ତି।
ଅନ୍ୟପକ୍ଷରେ ଭାଜପା ଏହାର ବିକଳ୍ପ ଉପରେ ବିଚାର କରୁଛି। ଭାଜପା ରାଜ୍ୟ ସ୍ତରୀୟ ନେତାଙ୍କ ଏକ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଟିଡିପି ସହ ଏକ ମେଣ୍ଟ କରିବାକୁ ଆଗ୍ରହୀ ଥିବାରୁ ସେମାନେ ବିଶ୍ୱାସ କରନ୍ତି ଯେ ଏହା ହେଉଛି ଏକମାତ୍ର ଉପାୟ ଯାହାକି ସେମାନେ କିଛି ଆସନ ଜିତିବା ଏବଂ ସେମାନଙ୍କ କର୍ମୀମାନଙ୍କୁ ଶକ୍ତି ପ୍ରଦାନ କରିବେ।
ଆନ୍ଧ୍ରପ୍ରଦେଶରେ ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୁଏ। ଅଭିନେତା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ସହ ମିଳିତ ହେବା ପରେ ଟିଡିପି ଓ୍ବାଇଏସଆର କଂଗ୍ରେସ ବିରୋଧରେ ଏକ ଦୃଢ ପ୍ରଦର୍ଶନ ପାଇଁ ଆଶାବାଦୀ।

Share