Categories: ଜାତୀୟ

ଗୁଜରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ଭାଜପା

ଗୁଆହାଟୀ,୧୫ା୨: ଗୁଜରାଟର ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ଭାଜପା କାମ କରୁଛି। ଆସାମର ସମ୍ପତ୍ତିକୁ ଗୁଜରାଟ ବ୍ୟବସାୟୀ ଯେପରି ଚୋରି କରିପାରିବେ ସେଥିଲାଗି ରାଜ୍ୟରେ ବିଭାଜନ ଉଦ୍ୟମ ଚାଲିଛି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୈରିକ ଦଳକୁ ଟାର୍ଗେଟ କରିଛନ୍ତି। ଏହାସହ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ଚା ଶ୍ରମିକଙ୍କ ମଜୁରି ଦୁଇଗୁଣରୁ ଅଧିକ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
୧୨୬ ନିର୍ବାଚନମଣ୍ଡଳୀ ମଧ୍ୟରୁ ଏକ-ତୃତୀୟାଂଶ (୩୫-୩୭) ଆସନରେ ଚା ଶ୍ରମିକ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ରହିଛି। ତେଣୁ ନିର୍ବାଚନ ଆସିଲେ ଚା ଶ୍ରମିକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଉଦ୍ୟମ କରିଥାନ୍ତି। ଏହି କ୍ରମରେ ରାହୁଲ ରବିବାର ଶିବସାଗରରେ ଏକ ସଭାକୁ ସମ୍ବୋଧିତ କରି ଚା ଶ୍ରମିକମାନଙ୍କୁ ଲୋଭ ଦେଖାଇଛନ୍ତି। ରାହୁଲ କହିଛନ୍ତି, ଚା ଶ୍ରମିକମାନେ ବର୍ତ୍ତମାନ ଦିନକୁ ୧୬୫ ଟଙ୍କା ମଜୁରି ପାଉଛନ୍ତି। ଏତିକି ଟଙ୍କାରେ ଶ୍ରମିକମାନେ କ’ଣ କିଣି ପାରିବେ? କଂଗ୍ରେସ କ୍ଷମତାକୁ ଆସିଲେ ଦୈନିକ ମଜୁରି ୩୬୫ ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ବେଆଇନ ପ୍ରବାସନ ବିରୋଧରେ ୬ ବର୍ଷ ଧରି ଚାଲିଥିବା ହିଂସାମତ୍କ ଆନ୍ଦୋଳନକୁ ରୋକିବା ଲାଗି ୧୯୮୫ରେ କେନ୍ଦ୍ର ସରକାର ଏବଂ ଏଏଏସ୍‌ୟୁ ମଧ୍ୟରେ ସ୍ବାକ୍ଷରିତ ଆସାମ ଚୁକ୍ତିର ସିଦ୍ଧାନ୍ତଗୁଡ଼ିକୁ ସୁରକ୍ଷା ଦେବା ପାଇଁ ରାହୁଲ ପ୍ରତିଶ୍ରୁତି ଦେଇଥିଲେ। ରାହୁଲ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ତରୁଣ ଗୋଗୋଇଙ୍କୁ ନିଜ ଗୁରୁ ଭାବେ ଅଭିହିତ କରିବା ସହ କଂଗ୍ରେସ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ରାଜ୍ୟରେ ଲାଗୁ କରାଇଦେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

 

Share