Categories: ଜାତୀୟ

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ ଘଟିଲା, ସେଥିପାଇଁ ଭାଜପା ଦ୍ୱାରା ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ମମତା କହିଛନ୍ତି।

ବୁଧବାର ସନ୍ଧ୍ୟାରେ ରାମନବମୀ ଶୋଭାଯାତ୍ରା ମୁର୍ଶିଦାବାଦ ଜିଲାର ବେଲଡଙ୍ଗା ସହର ଅନ୍ତର୍ଗତ ଏକ ମସ୍‌ଜିଦ ଅତିକ୍ରମ କରୁଥିବା ବେଳେ ହିଂସାକାଣ୍ଡ ଘଟି ୨ ନାବାଳକଙ୍କ ସମେତ ୧୮ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ କେତେଜଣ ପୋଲିସ ମଧ୍ୟ ଅଛନ୍ତି। ହିଂସାରେ ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଏସବୁ କାର୍ଯ୍ୟରେ ଭାଜପାର ହାତ ରହିଥିବା ମମତା ଏକ ନିର୍ବାଚନୀ ରାଲିକୁ ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି। ହିଂସାକାଣ୍ଡ ଘଟାଇବା ପାଇଁ ରାମନବମୀ ପୂର୍ବରୁ ମୁର୍ଶିଦାବାଦର ଡିଆଇଜିଙ୍କୁ ବଦଳି କରାଯାଇଥିଲା ବୋଲି ମମତା କହିଛନ୍ତି। ଅନ୍ୟପକ୍ଷରେ ରେଜିନଗରଠାରେ ରାମନବମୀ ଶୋଭାଯାତ୍ରାକୁ ଟେକାମାଡ଼ ହୋଇଥିଲା ବୋଲି ଭାଜପା ଅଭିଯୋଗ କରିଛି।

Share