Categories: ଜାତୀୟ

‘ଚାନ୍ଦା ପାଇଁ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରୁଛି ଭାଜପା’

ନୂଆଦିଲ୍ଲୀ,୨୪।୨(ପି.ଟି.): ଘରୋଇ କମ୍ପାନୀଗୁଡ଼ିକରୁ ଭାଜପା ପାଇଁ ଜୋର୍‌ଜବରଦସ୍ତ ଚାନ୍ଦା ଆଦାୟ ନିମନ୍ତେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଥିବା କଂଗ୍ରେସ ଶୁକ୍ରବାର ଅଭିଯୋଗ କରିଛି। ସରକାରଙ୍କ ଏହି ଜବରଦସ୍ତ ଚାନ୍ଦା ଅସୁଲିର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ କଂଗ୍ରେସ ଦାବି କରିଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୨୦୧୮-୧୯ରୁ ୨୦୨୨-୨୩ ଆର୍ଥତ୍କ ବର୍ଷ ମଧ୍ୟରେ ଅନୂ୍ୟନ ୩୦ଟି କମ୍ପାନୀ ଭାଜପାକୁ ପାଖାପାଖି ୩୩୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି, ଯେଉଁମାନେ କି ଉକ୍ତ ସମୟ ମଧ୍ୟରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତର ସମ୍ମୁଖୀନ ହୋଇଥିଲେ। ଭାଜପାକୁ ମିଳିଥିବା ଚାନ୍ଦାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ ସରକାର ଚାହୁଁନାହାନ୍ତି କାହିଁକି ବୋଲି କଂଗ୍ରେସ ସଂଗଠନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ଚାନ୍ଦା ଦିଅ, ଜାମିନ ଓ ବ୍ୟବସାୟ’ ଯୋଜନା ସମ୍ପର୍କରେ ଆପଣମାନେ ଜାଣନ୍ତି କି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ୍ସ’ରେ ପୋଷ୍ଟ କରିଥିଲେ। ପ୍ରଧାନମନ୍ତ୍ରୀ ଇଡି, ଆଇଟି ଏବଂ ସିବିଆଇର ଦୁରୁପଯୋଗ କରି ‘ଅସୁଲି ଭାଇ’ ଭଳି ବ୍ୟବସାୟ ଚଳାଇଥିବା ରାହୁଲ ଅଭିଯୋଗ କରିଥିଲେ। ଚାନ୍ଦା ବ୍ୟବସାୟ ଏଭଳି ଲଜ୍ଜାହୀନ ଭାବେ ଚାଲିଛି ଯେ, ମଧ୍ୟପ୍ରଦେଶର ଜଣେ ମଦ କାରଖାନା ମାଲିକ ଜାମିନ ପାଇବା ପରେ ଭାଜପାକୁ ଚାନ୍ଦା ଦେଇଥିଲେ। ଅସାଧୁ ଉପାୟରେ ଜଣେ ବନ୍ଧୁଙ୍କ କମ୍ପାନୀକୁ ଲାଭବାନ କରାଯାଉଥିବାବେଳେ ଅନ୍ୟମାନଙ୍କ ପାଇଁ ଭିନ୍ନ ନିୟମ ଲାଗୁ ହେଉଛି। ମୋଦି ସରକାର ଅମଳରେ ଭାଜପାକୁ ଦିଆଯାଇଥିବା ବେଆଇନ ଚାନ୍ଦା ଏବଂ ଇଲେକ୍ଟୋରାଲ ବଣ୍ଡ୍‌ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ ବୋଲି ରାହୁଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଭାଜପାକୁ କେଉଁ ସୂତ୍ରରୁ ଚାନ୍ଦା ଆସିଛି ଏବଂ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ଯୋଗୁ କିପରି କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଚାନ୍ଦା ଦେବାକୁ ବାଧ୍ୟ ହୋଇଛନ୍ତି, ତାହା ଶ୍ୱେତପତ୍ର ଜରିଆରେ ସରକାର ଜଣାଇବେ କି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି।

Share