ଭୁବନେଶ୍ୱର,୧।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ବିଜେଡି ରଣହୁଙ୍କାର ଦେଇଛି। ବିଧାନସଭାରେ ଏହାକୁ ନେଇ ବିଜେଡି ସଦସ୍ୟମାନେ କେନ୍ଦ୍ର ବିରୋଧରେ ପ୍ରତିବାଦ କରିଥିବା ବେଳେ ମଙ୍ଗଳବାର ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯାଇଛି। ମୋର୍ଚ୍ଚାର କର୍ମକର୍ତ୍ତାମାନେ ଲୋୟର ପିଏମ୍ଜିରୁ ଏକ ଶୋଭାଯାତ୍ରାରେ ବାହାରି ରାଜଭବନଠାରେ ଧାରଣା ଦେଇଥିଲେ। ବିଜେଡି ପକ୍ଷରୁ ଶ୍ରୀମୟୀ ମିଶ୍ର, ମେୟର ସୁଲୋଚନା ଦାସ, ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ ପ୍ରମୁଖ ରାଜଭବନ ଆଗରେ ଧାରଣା ଦେଇଥିଲେ। ସୁଲତା କହିଛନ୍ତି, କିଛିଦିନ ତଳେ ଭାଜପା ଏମ୍ପିମାନେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଆବାସ ବନ୍ଦ କରିବାକୁ ନିବେଦନ କରିଥିଲେ। ରାଜ୍ୟ ଭାଜପା ନେତାମାନେ ଗରିବଙ୍କ ହକ୍ ମାରିଦେଉଥିବାରୁ ଏହାର ପ୍ରତିବାଦରେ ଧାରଣା ଦିଆଯାଉଛି। ୧୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ଆମ ହକ୍, ଭାଜପା ଏହି ହକ୍ ମାରିଛି। ରାଜ୍ୟର ଏହି ହକ୍ ଦିଆଯାଉ ବୋଲି ସେ କହିଛନ୍ତି। ଏ ନେଇ ରାଜ୍ୟପାଳଙ୍କୁ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।