ଭାଜପା ମିଛିମିଛିକା ବିରୋଧ କରୁଛି: କଂଗ୍ରେସ

ଭୁବନେଶ୍ବର, ୨୭ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତ ସମ୍ପର୍କିତ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ଲାଗି ବ୍ୟାପକ ସରକାରୀ ଏବଂ ପୋଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ କରୁଛନ୍ତି। ନିକଟରେ ପାଣ୍ଡିଆନ ବାଲେଶ୍ୱର ଜିଲାର ଜଳେଶ୍ୱର ଗସ୍ତ କରିଥିବା ବେଳେ ସେଠାର କଂଗ୍ରେସ ନେତା ସୁଦର୍ଶନ ଦାସ ଏବଂ ଅନ୍ୟମାନଙ୍କୁ ପୋଲିସ ନଜରବନ୍ଦୀ ରଖିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ସୋମବାର ଖବରଦାତା ସମ୍ମିଳନୀ କରି ସୁଦର୍ଶନ ସେହି କଥା ଉଠାଇବା ସହିତ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି। ଏଥିସହ ଉକ୍ତ ପ୍ରସଙ୍ଗରେ ଭାଜପା ମିଛିମିଛିକା ବିରୋଧ କରୁଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।
ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୁଦର୍ଶନ କହିଛନ୍ତି, ଜଣେ ସଚିବଙ୍କ ଗସ୍ତ ସମୟରେ ବିରୋଧୀ ଦଳ ନେତାଙ୍କୁ ପୋଲିସ ନଜରବନ୍ଦୀରେ ରଖିବା କେବେ ଦେଖାଦେଇ ନ ଥିଲା। ଅପରପକ୍ଷେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦ୍ୟୋପାଧ୍ୟାୟଙ୍କ ବିରୋଧରେ ଟିଏମ୍‌ସି ସପକ୍ଷବାଦୀ କାର୍ଯ୍ୟକଳାପର ଆରୋପ ଲଗାଇ କେନ୍ଦ୍ର ସରକାର ତାଙ୍କୁ ୨୦୨୧ ମାର୍ଚ୍ଚ ୨୮ରେ କେନ୍ଦ୍ରକୁ ଫେରାଇ ନେବାର ନଜିର ରହିଛି। ତେବେ ପାଣ୍ଡିଆନଙ୍କ କ୍ଷେତ୍ରରେ କେନ୍ଦ୍ରର ଭାଜପା ସରକାର ସେହିଭଳି ନିଷ୍ପତ୍ତି ନ ନେଇ ମିଛିମିଛିକା ବିରୋଧ କରୁଛନ୍ତି ବୋଲି କହି ସେ ସମାଲୋଚନା କରିଛନ୍ତି।

Share