Categories: ଜାତୀୟ

୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏକୁ ପୁନର୍ଜୀବିତ କରୁଛି ଭାଜପା, ବିଜୟ ନୁହେଁ ସହଜ: ଓମାର…

ଶ୍ରୀନଗର,୧୨।୭ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଓମାର ଅବଦୁଲ୍ଲା କହିଛନ୍ତି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି। କାରଣ ନିର୍ବାଚନରେ ଜିତିବା ଯେତିକି ସହଜ ହେବ ବୋଲି ଦଳ ମନେ କରୁଥିଲା ଏବେ ଲାଗୁଛି ତାହା ସେତିକି ସହଜ ହେବ ନାହିଁ।

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଗତ ୮ ବର୍ଷ ମଧ୍ୟରେ ଭାଜପା ସହଯୋଗୀମାନଙ୍କୁ ବନ୍ଧୁତାର ସମ୍ମାନ ଦେଇ ନ ଥିଲା। କିନ୍ତୁ ବର୍ତ୍ତମାନ ବାଧ୍ୟତାମୂଳକ ଭାବେ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରୁଛି।

ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗରେ ଅବଦୁଲ୍ଲା କହିଛନ୍ତି ଏଜେଣ୍ଡା ଉଠାଇବା ଭାଜପାର ଅଧିକାର। ଏନସି ଭାଜପାର ଏଜେଣ୍ଡାକୁ ସମର୍ଥନ କରୁନାହିଁ। ଏପରି ଆଇନ କାର୍ଯ୍ୟକାରୀ ହେବାଦ୍ୱାରା କୌଣସି ସମ୍ପ୍ରଦାୟ ପାଇଁ କିଛି ରିହାତି ମିଳିବ ନାହିଁ। ସଭିଏଁ ଅସୁବିଧାରେ ପଡ଼ିବେ। ଆଦିବାସୀମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେବ।

ଶିବସେନା କିମ୍ବା ଅକାଳୀ ଦଳ କିମ୍ବା ଅନ୍ୟାନ୍ୟ ପାର୍ଟି ଭଳି ଏନଡିଏର ପୁରାତନ ବନ୍ଧୁମାନେ ଗୋଟିଏ ପରେ ଗୋଟିଏ ମେଣ୍ଟ ଛାଡିଛନ୍ତି।

ଆନ୍ଧ୍ରପ୍ରଦେଶରେ ଭାଜପା ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ସହ କଥାବାର୍ତ୍ତା କରୁଛି ଏବଂ ପଞ୍ଜାବରେ ଅକାଳୀ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ସେମାନେ ମହାରାଷ୍ଟ୍ରରେ ଶିବସେନାଙ୍କ ସହ କଥାବାର୍ତ୍ତା କରୁଛନ୍ତି।

ୟୁସିସି ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନାହିଁ, ତେଣୁ ବିରୋଧ କରିବାକୁ କିମ୍ବା ସମର୍ଥନ କରିବାକୁ କିଛି ନାହିଁ।

ୟୁସିସି ବିଷୟରେ କଥାବାର୍ତ୍ତା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଧହୁଏ ତାଙ୍କର ଏକ ଭାଷଣରେ ୟୁସିସି ବିଷୟରେ କହିଛନ୍ତି। କିନ୍ତୁ, ଏହାର ଏ ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନାହିଁ । ନିର୍ବାଚନ ପୂର୍ବରୁ ଭାଜପା ଏଭଳି ଜାଣିଶୁଣି କରୁଥିବା ଓମାର କହିଛନ୍ତି।

Share