Categories: ଜାତୀୟ

ଭାଜପା ମୂଳପୋଛ

ଚଣ୍ଡିଗଡ଼, ୧୮ା୨: କେନ୍ଦ୍ରର ୩ କୃଷି ଆଇନ ଭାଜପା ପାଇଁ ମହଙ୍ଗା ପଡ଼ିଛି। ଏହି ବିବାଦୀୟ ଆଇନ ହଟାଇବା ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ କୃଷକଙ୍କ ଆନ୍ଦୋଳନ ୩ ମାସ ପୂରିବାକୁ ଯାଉଥିବାବେଳେ କୃଷି ପ୍ରଧାନ ରାଜ୍ୟ ପଞ୍ଜାବରେ ଭାଜପାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର। ରବିବାର ଅନୁଷ୍ଠିତ ପୌର ନିର୍ବାଚନର ଫଳାଫଳ ବୁଧବାର ଘୋଷଣା କରାଯାଇଛି। ୭ଟି ମହାନଗର ନିଗମରୁ ଶାସକ କଂଗ୍ରେସ ୬ଟିରେ ବିଜୟୀ ହୋଇଥିବାବେଳେ ଭାଜପା ମୂଳପୋଛ ହୋଇଯାଇଛି। ଅନ୍ୟ ଏକ ନିଗମର ଫଳାଫଳ ଗୁରୁବାର ଘୋଷଣା ହୋଇପାରେ ବୋଲି ସୂଚନା ରହିଛି। କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ସର୍ବାଧିକ ଚାଷୀ ପଞ୍ଜାବର ହୋଇଥିବାରୁ ଏହି ନିର୍ବାଚନର ପରିଣାମକୁ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁତୋଡ଼ ଜବାବ ବୋଲି କୁହାଯାଉଛି। ବଠିଣ୍ଡା, ହୋସିୟାରପୁର, କପୁରଥାଲା, ଆବୋହର, ବଟଲା ଏବଂ ପଠାନକୋଟ କଂଗ୍ରେସ ହାତକୁ ଯାଇଛି। ମୋଗା ନଗର ନିଗମର ନିର୍ବାଚନୀ ଫଳାଫଳ ଆସିନାହିଁ। ଭାଜପା ସହ ମୁଖ୍ୟ ବିରୋଧୀ ଶିରୋମଣି ଅକାଳୀ ଦଳ ଏବଂ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମଧ୍ୟ ପୌର ନିର୍ବାଚନରେ ଚିତ୍‌ପଟାଙ୍ଗ ମାରିଛନ୍ତି। ନକାରାତ୍ମକ ରାଜନୀତି ଯୋଗୁ ଭାଜପା, ଅକାଳୀ ଦଳ, ଏଏପି ଭଳି ପାର୍ଟିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଝାକର କହିଛନ୍ତି। ପ୍ରକୃତ ବିକାଶ ପ୍ରସଙ୍ଗ ନେଇ ନିର୍ବାଚନ ଲଢ଼ିଥିବାରୁ ଲୋକେ ତାଙ୍କୁ ସମର୍ଥନ ଦେଇଥିବା ସେ କହିଛନ୍ତି। ଗତ ଥର ୨୦୧୫ରେ ହୋଇଥିବା ଏହି ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା। ଶିରୋମଣି ଅକାଳୀ ଦଳକୁ ୮୧୩ ଏବଂ ଭାଜପାକୁ ୩୪୮ ସିଟ୍‌ ମିଳିଥିଲା। ଗତ ୧୪ ତାରିଖରେ ପଞ୍ଜାବର ୮ ମହାନଗର ନିଗମରେ ନିର୍ବାଚନ ହୋଇଥିଲା। ଆସନ୍ତା ୧୯ ତାରିଖରେ ମୋହାଲି ନିଗରର ଫଳାଫଳ ଘୋଷଣା କରାଯିବ।

Share