ଶ୍ରୀନଗର,୧୪।୧୨: ନ୍ୟାଶନାଲ କନ୍ଫରେନ୍ସ ଉପାଧ୍ୟକ୍ଷ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କେନ୍ଦ୍ର ଭାଜପା ସରକାର ଉପରେ ବର୍ଷିଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ଓମାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଆୟୋଜନ କରିବାକୁ ଭାଜପା ଭୟ କରୁଛି। ସେମାନଙ୍କ ପାଖରେ ସାହସ ନାହିଁ। ଆମେ ଅପେକ୍ଷା କରିଛୁ ସେମାନେ ସାହସ ଜୁଟାଇ କେବେ ନିର୍ବାଚନ କରିବେ, ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ, କିନ୍ତୁ ନିର୍ବାଚନ କରିବାକୁ ଭିକ ମାଗିବା ପାଇଁ ତାଙ୍କ ପାଖକୁ ଯିବୁ ନାହିଁ।
ଅବଦୁଲ୍ଲା ଆହୁରି ମଧ୍ୟ କହିଛନ୍ତି, ଜମ୍ମୁ କଶ୍ମୀରରେ ସରକାର ଗଠନ କରିବା ପରେ ଆମେ ଜନ ସୁରକ୍ଷା ଆଇନ (ପିଏସ୍ଏ) ରଦ୍ଦ କରିବୁ । ଗତ କିଛି ବର୍ଷ ଧରି ବାରମ୍ବାର ଏକଥା କହୁଛି। ୨୦୧୯ ବିଧାନସଭା ନିର୍ବାଚନରେ ମୁଁ ଏହା ମଧ୍ୟ କହିଥିଲି। ନ୍ୟାଶନାଲ କନ୍ଫରେନ୍ସ ସରକାର ଗଠନ ହେଲେ, ଆମେ ଆଇନତଃ ପିଏସ୍ଏ ହଟାଇବୁ।