Posted inଜାତୀୟ

ଭାଜପା ସବୁଠୁ ବଡ଼ ପାର୍ଟି , ୧୦୦ ଛୁଇଁଲାନି କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ନୂଆଦିଲ୍ଲୀ,୫।୬: ‘୪୦୦ ପାର୍‌’ ନାରା, କିନ୍ତୁ ଜନାଦେଶ ୩୦୦ ଆସନ ତଳେ। ସଦ୍ୟ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବିଜୟ ଲାଭ କରିଥିଲେ ମଧ୍ୟ ଉତ୍ସବ ମନାଇବା ଅବସ୍ଥାରେ ନାହିଁ। କାରଣ କେନ୍ଦ୍ରରେ କ୍ଷମତାସୀନ ଭାଜପା ଲୋକ ସଭାର ୫୪୩ ଆସନ ମଧ୍ୟରୁ ମ୍ୟାଜିକ୍‌ ନମ୍ବର ୨୭୨ ଛୁଇଁପାରି ନାହିଁ। ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟ ଅନୁସାରେ ଏନ୍‌ଡିଏକୁ ୨୯୩ ଆସନରେ ସଫଳତା ମିଳିଥିବାବେଳେ ତହିଁରୁ କେବଳ ଭାଜପା ୨୪୦ ଦଖଲ କରିବାରେ ସକ୍ଷମ ହୋଇଛି, ଯାହାକି କୁହୁକ ସଂଖ୍ୟାଠାରୁ ୩୨ କମ୍‌। ଅର୍ଥାତ୍‌ ସହଯୋଗୀ ଦଳଗୁଡ଼ିକୁ ବାଦ୍‌ଦେଇ ଭାଜପା ଏକୁଟିଆ ସରକାର ଗଢ଼ିପାରିବ ନାହିଁ। ଅନ୍ୟପକ୍ଷେ କଂଗ୍ରେସକୁ ୯୯ ଆସନରେ ସଫଳତା ମିଳିଥିବାବେଳେ ବିରୋଧୀ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ୨୩୨ ଆସନ ଦଖଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଶାସକ ମେଣ୍ଟ ହ୍ୟାଟ୍ରିକ୍‌ ବିଜୟ ଲାଭ କରି ଲଗାତର ତୃତୀୟ ଥର ପାଇଁ ସରକାର ଗଢ଼ିବା ଦିଗରେ ଅଗ୍ରସର ହୋଇଛି।
୨୦୨୪ ନିର୍ବାଚନରେ ଭାଜପାକୁ ସର୍ବାଧିକ ନିରାଶ ହେବାକୁ ପଡ଼ିଛି ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ। ରାଜନୈତିକ ଦୃଷ୍ଟିରୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ୟୁପିର ୬୪ ଆସନ ପାଇଥିବା ଏନ୍‌ଡିଏ ଏଥର ସମସ୍ତ ୮୦ ଆସନ ପୋଛିନେବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏଠାରେ ଶାସକ ମେଣ୍ଟ ମାତ୍ର ୩୬ ଆସନରେ ସୀମିତ ହୋଇ ରହିଯାଇଛି। ଭାଜପାକୁ ୩୩ ଆସନରେ ସଫଳତା ମିଳିଥିବାବେଳେ ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ୨ ଏବଂ ଅପ୍‌ନା ଦଳ (ସୋନେଲାଲ) ଗୋଟିଏ ଆସନ ଜିତିଛି। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ୩୭ ଆସନ ଦଖଲ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ୬ ଆସନରେ ସଫଳ ହୋଇଛନ୍ତି। ଆଜାଦ୍‌ ସମାଜ ପାର୍ଟି (କାଂଶିରାମ) ଗୋଟିଏ ଆସନ ଜିତିଛି। ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଖାତା ଖୋଲିପାରି ନାହିଁ। ମୋଦିଙ୍କ ରାମମନ୍ଦିର ଫ୍ୟାକ୍ଟର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏନ୍‌କାଉଣ୍ଟର ଓ ବୁଲ୍ଡୋଜର ରାଜନୀତିକୁ ୟୁପି ଭୋଟର ପ୍ରତ୍ୟାଖ୍ୟାନ କରିଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।
ଲୋକ ସଭା ଆସନ ସଂଖ୍ୟା ଦୃଷ୍ଟିରୁ ଦ୍ୱିତୀୟ ବଡ଼ ରାଜ୍ୟ ମହାରାଷ୍ଟ୍ର(୪୮)ରେ ମଧ୍ୟ ଭାଜପାକୁ ବଡ଼ ଝଟକା ଲାଗିଛି। ଭାଜପା ୧୦ ଆସନରେ ସୀମିତ ରହିଥିବାବେଳେ ଏହାର ସହଯୋଗୀ ଶିବସେନା (ଶିନ୍ଦେ)କୁ ୭ ଏବଂ ଅଜିତ୍‌ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ଗୋଟିଏ ଆସନ ମିଳିଛି। ଅନ୍ୟପକ୍ଷେ କଂଗ୍ରେସ ୧୩ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ୟୁବିଟି ୯ ଆସନ ପାଇଛି। ମହାବିକାଶ ଅଘାଡ଼ି (ଏମ୍‌ଭିଏ)ର ଅନ୍ୟତମ ସହଯୋଗୀ ଏନ୍‌ସିପି-ଶରଦ ଚନ୍ଦ୍ର ୮ ଲୋକ ସଭା ଆସନ ଦଖଲ କରିଛି। ବାରାମତୀ ଆସନରେ ପାଓ୍ବାରଙ୍କ ଝିଅ ତଥା ସ୍ଥାନୀୟ ଏମ୍‌ପି ସୁପ୍ରିୟା ସୁଲେ ପୁନର୍ବାର ବିଜୟୀ ହୋଇଛନ୍ତି। ଉଦ୍ଧବ ଓ ପାଓ୍ବାରଙ୍କ ଦଳ ଭାଙ୍ଗିଯାଇଥିଲେ ମଧ୍ୟ ସେମାନଙ୍କ ଗୋଷ୍ଠୀକୁ ଅଧିକ ଜନ ସମର୍ଥନ ମିଳିଛି। ସାଙ୍ଗଲି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଶାଳ ପ୍ରକାଶପ୍ରଭୁ ପାଟିଲ ବିଜୟୀ ହୋଇଛନ୍ତି।
ପଶ୍ଚିମବଙ୍ଗରେ ଗତ ବିଧାନସଭା ଭୋଟ ଭଳି ଏଥର ମଧ୍ୟ ‘ଦିଦି ବନାମ ମୋଦି’ ନିର୍ବାଚନ ହୋଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍‌ସି)କୁ ହରାଇ ଅଧିକ ଆସନ ଦଖଲ ପାଇଁ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହଯୋଗୀମାନେ ଧୂଅଁାଧାର ପ୍ରଚାର କରିଥିଲେ। ପ୍ରତିଟି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମମତାଙ୍କୁ ହିନ୍ଦୁବିରୋଧୀ ଆଖ୍ୟା ଦେଇ ଟାର୍ଗେଟ କରିଥିଲେ। ଏପରି କି ମୁସଲିମ୍‌ ବହୁଳ ସନ୍ଦେଶଖାଲିକୁ ଧ୍ରୁବୀକରଣର ପ୍ରୟୋଗଶାଳାରେ ପରିଣତ କରିଥିଲେ। ଏହାର ଫଳାଫଳ ଓଲଟା ଆସିଲା। ଟିଏମ୍‌ସି ୨୯ ଆସନରେ ବିଜୟୀ ହେଲା। ଭାଜପା ଗତଥର ୧୮ ଆସନ ଦଖଲ କରିଥିବାବେଳେ ଏଥର ୧୨ରେ ସୀମିତ ରହିଗଲା। ଏହାର ଫାଇଦା ଟିଏମ୍‌ସିକୁ ମିଳିଥିବା କୁହାଯାଉଛି। ୪୨ ଆସନ ମଧ୍ୟରୁ କଂଗ୍ରେସ କେବଳ ମାଲଦାରେ ବିଜୟୀ ହୋଇଛି। ଲୋକ ସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କୁ ମଧ୍ୟ ବରହମ୍‌ପୁର ଆସନରେ ଧୂଳି ଚାଟିବାକୁ ପଡ଼ିଛି। ଏଠାରେ କ୍ରିକେଟର ୟୁସୁଫ୍‌ ପଠାନ୍‌ ତାଙ୍କୁ ହରାଇଛନ୍ତି।
ମଧ୍ୟପ୍ରଦେଶର ସମସ୍ତ ୨୯ ଆସନରେ ଭାଜପା ବିଜୟୀ ହୋଇଛି। ଛତିଶଗଡ଼ର ୧୧ ଲୋକ ସଭା ଆସନ ମଧ୍ୟରୁ ଭାଜପାକୁ ୧୦ ଏବଂ କଂଗ୍ରେସକୁ ଗୋଟିଏ ସିଟ୍‌ରେ ସଫଳତା ମିଳିଛି। ଏହି ୨ ରାଜ୍ୟରେ କିଛି ମାସ ତଳେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ନେତୃତ୍ୱ ପରିବର୍ତ୍ତନର ଏକ୍ସପେରିମେଣ୍ଟ ଭାଜପାକୁ ସୁହାଇଥିବା କୁହାଯାଉଛି। ତେବେ ରାଜସ୍ଥାନର ୨୫ ଆସନ ମଧ୍ୟରୁ ଭାଜପା ୧୪ ଓ କଂଗ୍ରେସ ପ୍ରାର୍ଥୀ ୮ଟିରେ ବିଜୟୀ ହୋଇଛନ୍ତି। ସିପିଆଇଏମ୍‌, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏବଂ ଭାରତ ଆଦିବାସୀ ପାର୍ଟି ଗୋଟିଏ ଲେଖାଏ ଆସନ ଜିତିଛନ୍ତି। ଅନ୍ୟତମ ହିନ୍ଦୀଭାଷୀ ରାଜ୍ୟ ବିହାରରେ ଏନ୍‌ଡିଏର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି। ଏଠାରେ ଭାଜପା ୧୨, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୧୨, ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ରାମବିଳାଶ (ଏଲ୍‌ଜେପିଆର୍‌ଭି) ୫ ଆସନ ଦଖଲ କରିଛି। ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌) ମୁଖ୍ୟ ଜିତନରାମ ମାଞ୍ଝି ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଲଢ଼ିଥିବା ୨୩ ଆସନ ମଧ୍ୟରୁ ୪ ଏବଂ ସହଯୋଗୀ କଂଗ୍ରେସ ଅନ୍ୟ ୩ ଆସନରେ ବିଜୟୀ ହୋଇଛି। ଲାଲୁଙ୍କ ଝିଅ ମିସା ଭାରତୀ ପାଟଳିପୁତ୍ରରେ ବିଜୟୀ ହୋଇଥିବାବେଳେ ସାନଝିଅ ରୋହିଣୀଙ୍କୁ ସାରନରେ ଭାଜପା ପ୍ରାର୍ଥୀ ରାଜୀବ ପ୍ରତାପ ରୁଡ଼ି ହରାଇଦେଇଛନ୍ତି। ସିପିଆଇଏମ୍‌ଏଲ୍‌ର ୨ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଜିତିଛନ୍ତି।
ଗୁଜରାଟର ୨୬ ଆସନ ମଧ୍ୟରୁ ଭାଜପା ୨୫ଟିରେ ବିଜୟୀ ହୋଇଥିବାବେଳେ ବନାସକାଣ୍ଟା ଆସନ କଂଗ୍ରେସ ହାତକୁ ଯାଇଛି। ଝାଡ଼ଖଣ୍ଡର ୧୪ ଆସନରୁ ଭାଜପା ୮ ଏବଂ ସହଯୋଗୀ ଏଜେଏସ୍‌ୟୁପି ଗୋଟିଏ ଆସନ ମିଳିଛି। ଶାସକ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ୩ ଏବଂ ଏହାର ସହଯୋଗୀ କଂଗ୍ରେସ ୨ଟି ଜିତିଛି। ଦିଲ୍ଲୀର ସମସ୍ତ ୭ ଆସନ ଭାଜପା ପୁନର୍ବାର ପୋଛି ନେଇଛି। ଜାତୀୟ ରାଜଧାନୀ ଦିଲ୍ଲୀ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଜାତୀୟ ଭୂମିକାକୁ ଭୋଟର ଗ୍ରହଣ କରିପାରି ନାହାନ୍ତି।
ଦକ୍ଷିଣ ଭାରତର ସବୁଠୁ ବଡ଼ ରାଜ୍ୟ ତାମିଲନାଡୁର ସମସ୍ତ ୩୯ ଲୋକ ସଭା ଆସନକୁ ଇଣ୍ଡିଆ ମେଣ୍ଟ ପୋଛି ନେଇଛି। ଏଠାରେ ଶାସକ ଦ୍ରାବିଡ ମୁନେତ୍ରା କାଝାଗାମ୍‌ (ଡିଏମ୍‌କେ) ୨୨ ଏବଂ ଏହାର ସହଯୋଗୀ କଂଗ୍ରେସ ୯, ସିପିଆଇଏମ୍‌ ୨, ସିପିଆଇ ୧, ଏମ୍‌ଡିଏମ୍‌କେ ୧, ଭିସିିକେ ୨ ଏବଂ ଏଆଇୟୁଏମ୍‌ଏଲ୍‌ ପ୍ରାର୍ଥୀ ଗୋଟିଏ ଆସନରେ ଜିତିଛନ୍ତି। ଭାଜପା ୨୩ ଆସନରେ ଲଢ଼ିଥିଲେ ମଧ୍ୟ ଖାତା ଖୋଲିପାରି ନାହିଁ। ସେହିପରି ଏହାର ମେଣ୍ଟ ସହଯୋଗୀ ଆଞ୍ଚଳିକ ଦଳଗୁଡ଼ିକୁ ଗୋଟିଏ ବି ଆସନରେ ସଫଳତା ମିଳିନାହିଁ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ତାମିଲ ଭୋଟର ମୋହର ମାରିଛନ୍ତି। ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶରେ ଏନ୍‌. ଚନ୍ଦ୍ରାବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସହ ମେଣ୍ଟ କରି ଭାଜପା ସବୁଠୁ ଅଧିକ ଲାଭ ପାଇଛି। ଏଠାରେ ଟିଡିପିକୁ ୧୬ ଓ ଭାଜପାକୁ ୩ ଆସନ ମିଳିଥିବାବେଳେ ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଜନସେନା ପାର୍ଟି (ଜେଏସ୍‌ପି) ୨ ଆସନ ଦଖଲ କରିଛି। ଶାସକ ଓ୍ବାଇଏସ୍‌ଆର୍‌ସିପି ମାତ୍ର ୪ ଆସନରେ ସୀମିତ ହୋଇ ରହିଯାଇଛି। ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଲୋକ ସଭା ଭୋଟରେ ମଧ୍ୟ ମୂଳପୋଛ ହୋଇଯାଇଛି। ଏଠାରେ ୧୭ ଆସନ ମଧ୍ୟରୁ ଶାସକ କଂଗ୍ରେସକୁ ୮ ଏବଂ ଭାଜପାକୁ ୮ ଆସନ ମିଳିଛି। ଏଆଇଏମ୍‌ଆଇଏମ୍‌ ଏମ୍‌ପି ଅସାଦୁଦ୍ଦିନ୍‌ ଓଓ୍ବାଇସି ନିଜ ହାଇଦ୍ରାବାଦ ଦୁର୍ଗକୁ ଅଭେଦ୍ୟ ରଖିବାରେ ସକ୍ଷମ ହୋଇଛନ୍ତି। ତାଙ୍କଠାରୁ ଭାଜପାର ମାଧବୀ ଲତା ପରାଜିତ ହୋଇଛନ୍ତି। କେରଳର ୨୦ ଆସନ ମଧ୍ୟରୁ ଭାଜପା କେବଳ ଗୋଟିଏ ଆସନ ଜିତିଛି। ଏଠାରେ କଂଗ୍ରେସକୁ ୧୪ ଆସନରେ ସଫଳତା ମିଳିଛି। ତନ୍ମଧ୍ୟରୁ ରାହୁଲ ଗାନ୍ଧୀଙ୍କ ଓ୍ବାୟନାଡ୍‌ ଅନ୍ୟତମ। ଥିରୁଭାନନ୍ତପୁରମ୍‌ ଆସନରେ କଂଗ୍ରେସ ଏମ୍‌ପି ଶଶୀ ଥରୁରଙ୍କଠାରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ହାରିଯାଇଛନ୍ତି। କର୍ନାଟକରେ ଶାସକ କଂଗ୍ରେସ ୯ ଆସନରେ ସୀମିତ ହୋଇଯାଇଥିବାବେଳେ ଏନ୍‌ଡିଏ ବଡ଼ ବିଜୟ ପାଇଛି। ୨୮ ଆସନ ମଧ୍ୟରୁ ଭାଜପା ୧୭ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ୨ଟିରେ ବିଜୟୀ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ମାଣ୍ଡ୍ୟ ଆସନରେ ଜିତିଛନ୍ତି। କିନ୍ତୁ ସେକ୍ସ ସ୍କାଣ୍ଡାଲକୁ ନେଇ ବିବାଦୀୟ ହୋଇଥିବା ତାଙ୍କ ପୁତୁରା ପ୍ରଜ୍ଜ୍ୱଳ ରେଭନ୍ନା ହାସନ ଲୋକ ସଭା ଆସନରେ ପରାଜିତ ହୋଇଛନ୍ତି।
ଭାଜପା ଶାସିତ ଆସାମ(୧୪)ରେ ମଧ୍ୟ ଗୈରିକ ଦଳ ସଫଳ ହୋଇଛି। ଏଠାରେ ଭାଜପା ୯, କଂଗ୍ରେସ ୩, ୟୁପିପିଏଲ୍‌ ୧, ଏଜିପି ୧ ଆସନରେ ବିଜୟୀ ହୋଇଛନ୍ତି। ହରିୟାଣାର ୧୦ ଲୋକ ସଭା ଆସନରୁ ଉଭୟ ଭାଜପା ଏବଂ କଂଗ୍ରେସ ୫ଟି ଲେଖାଏ ଭାଗକରି ନେଇଛନ୍ତି। ପଞ୍ଜାବରେ ଶାସକ ଆପ୍‌କୁ ୩ ଆସନ ମିଳିଥିବାବେଳେ କଂଗ୍ରେସ ୭, ଶିରୋମଣୀ ଅକାଳୀ ଦଳ ୧ ଏବଂ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନ ଦଖଲ କରିଛନ୍ତି। ଭାଜପା ପଞ୍ଜାବୀ ଭୋଟରଙ୍କ ଦ୍ୱାରା ମଧ୍ୟ ପ୍ରତ୍ୟାଖ୍ୟାତ ହୋଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ୨ ଟି ଯାକ ଲୋକ ସଭା ଆସନକୁ କଂଗ୍ରେସ ଦଖଲ କରିଛି। ଏଠାରେ ପ୍ରାୟ ବର୍ଷେ ଧରି ଲାଗି ରହିଥିବା ଜାତିଆଣ ହିଂସା ଯୋଗୁ ଅତିଷ୍ଠ ଭୋଟର ଶାସକ ଭାଜପାଠାରୁ ମୁହଁ ଫେରାଇ ନେଇଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri