Categories: ଜାତୀୟ

ଭାଜପା ବିଶ୍ୱର ବଡ଼ ଲୁଟେରା: ମମତା

କୋଲକାତା,୨୧।୩: ଭାଜପା ବିଶ୍ୱରେ ସବୁଠୁ ବଡ଼ ଲୁଟେରା ବୋଲି ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିବା ସହ ଏହି ଦଳକୁ ରାଜ୍ୟରେ କଦାପି ଶାସନ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ପୂର୍ବ ମିଦନାପୁର ଜିଲାର ହଳଦିଆଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ମମତା କହିଥିଲେ, ଗୈରିକ ଦଳ ଦଙ୍ଗା, ହତ୍ୟା, ଦଳିତଙ୍କୁ ନିର୍ଯାତନା ଆଦି କରାଉଛି। ଏହା ବିଶ୍ୱରେ ସର୍ବାଧିକ ଅର୍ଥ ଅସୁଲ କରୁଥିବା ଦଳ। କେବଳ ପିଏମ୍‌ କେୟାର ପାଣ୍ଠି ନାଁରେ ସେମାନେ ବହୁ କୋଟି ଅସୁଲ କରିଛନ୍ତି। ପଶ୍ଚିମବଙ୍ଗ ଜନସାଧାରଣ ଶାନ୍ତି ଏବଂ ଦଙ୍ଗାମୁକ୍ତ ରାଜ୍ୟ ଚାହୁଁଥିଲେ ତୃଣମୂଳ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ମମତା କହିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶର ସମ୍ପତ୍ତି ବିକ୍ରି କରିଚାଲିଛନ୍ତି। ଭାରତୀୟ ଅର୍ଥନୀତିକୁ ମୋଦି ବିପର୍ଯ୍ୟସ୍ତ କରିଛନ୍ତି। ରେଲଓ୍ବେ, କୋଇଲା ସେକ୍ଟର, ବିଏସ୍‌ଏନ୍‌ଏଲ୍‌, ବୀମା, ବ୍ୟାଙ୍କ ସବୁକୁ ଘରୋଇକରଣ କରିସାରିଲେଣି। କିଛିଦିନ ମଧ୍ୟରେ ହଳଦିଆ ପୋତାଶ୍ରୟ ମଧ୍ୟ ବିକ୍ରି ହୋଇଯିବ ବୋଲି ଟିଏମ୍‌ସି ସୁପ୍ରିମୋ କହିଥିଲେ। ପ୍ରତି ପର୍ଯ୍ୟାୟ ଭୋଟ ଶେଷରେ ଇଭିଏମ୍‌ଗୁଡ଼ିକୁ ଜଗିବା ଲାଗି ସେ ସମର୍ଥକମାନଙ୍କୁ ପରାମର୍ଶ ଦେଇଥିଲେ।

Share