Categories: ଜାତୀୟ

ଭାଜପା ମୋତେ ଧମକ ଦେଉଛି: ଦାନିଶ ଅଲୀ

ନୂଆଦିଲ୍ଲୀ,୨୪।୯: ବିଏସପି ଏମ୍‌ପି ଦାନିଶ ଅଲୀଙ୍କ ବିରୋଧରେ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗ ଉଠିବା ପରେ ଭାଜପା କହିଛି ଯେ, ଦାନିଶ ଅଲୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିଛନ୍ତି।
ଏହାର ଅନୁସନ୍ଧାନ ପାଇଁ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ବାଚସ୍ପତି ଓମ ବିର୍ଲାଙ୍କୁ ଅଭିଯୋଗ ପତ୍ର ଲେଖିଛନ୍ତି। ଅନ୍ୟପକ୍ଷରେ ରବିବାର ଦାନିଶ କହିଛନ୍ତି ଯେ, ସେ ଲୋକ ସଭା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ଯେ ଦୁବେଙ୍କ ଚିଠିର ମଧ୍ୟ ଯାଞ୍ଚ କରାଯାଉ। ଯଦି ଦୁବେ ଯାହା କହୁଛନ୍ତି ତାହା ସତ ତେବେ ଏହାର ଏକ ଭିଡିଓ ମଧ୍ୟ ରହିବା ଉଚିତ୍‌। ଯେତେବେଳେ ବିଧୁରୀ ତାଙ୍କ ବିରୋଧରେ ଭୁଲ କଥା କହିଥିଲେ, ସେତେବେଳେ ଭାଜପାର ସମସ୍ତ ଏମ୍‌ପି ହସୁଥିଲେ। ଏହାର ଅର୍ଥ ସେମାନେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଆସିନାହାଁନ୍ତି। ଦୁବେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପ୍ରଥମେ ଗୃହରେ ମୋର ଅପମାନ କରାଯାଇଥିଲା ଏବଂ ବର୍ତ୍ତମାନ ବାହାରେ ଧମକ ଦେଉଛନ୍ତି।
ସୂଚନାଯୋଗ୍ୟ, ସଂସଦର ସ୍ବତନ୍ତ୍ର ଅଧିବେଶନ ବେଳେ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ରମେଶ ସିଧାସଳଖ ଅଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଭାଜପା ପକ୍ଷରୁ ଏମ୍‌ପି ବିଧୁରୀଙ୍କୁ ନିଜର ପକ୍ଷ ରଖିବାକୁ ନୋଟିସ କରାଯାଇଛି। କାହିଁକି ଅପଶବ୍ଦ ପ୍ରୟୋଗ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତା’ର ଜବାବ ରଖିବାକୁ ଭାଜପା ପକ୍ଷରୁ ରମେଶଙ୍କୁ ପଠାଯାଇଥିବା ନୋଟିସରେ କୁହାଯାଇଛି।

Share