Categories: ଜାତୀୟ

ପଶ୍ଚିମବଙ୍ଗର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ଭାଜପା: ମମତା…

କୋଲକାତା,୨୯।୮ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଭାଜପା ରାଜ୍ୟର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ଏବଂ ଯଦି ଏହାକୁ ବିରୋଧ ନ ହୁଏ ତେବେ ଜୁନ ୨୦ ରାଜ୍ୟର ପ୍ରତିଷ୍ଠା ଦିବସ ଭାବରେ ପାଳନ ହେବ।

ଏହାପୂର୍ବରୁ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଲେଖିଥିବା ଏକ ଚିଠିରେ ବାନାର୍ଜୀ କହିଥିଲେ ବିଭାଜନର ଯନ୍ତ୍ରଣା ଏବଂ ଆଘାତ ଏପରି ଯେ ପଶ୍ଚିମବଙ୍ଗର ଲୋକମାନେ ଭାରତର ସ୍ବାଧୀନତା ପରଠାରୁ କୌଣସି ଦିନ ପ୍ରତିଷ୍ଠା ଦିବସ ପାଳନ କରିନାହାଁନ୍ତି। ୨୦ ଜୁନରେ ପଶ୍ଚିମବଙ୍ଗ ପ୍ରତିଷ୍ଠା କରାଯାଇ ନାହିଁ। ସେଥିପାଇଁ ଏହି ଦିନକୁ ପ୍ରତିଷ୍ଠା ଦିବସ ଭାବେ ପାଳନ କର ନାହିଁ। ତେବେ ତାଙ୍କ ଆପତ୍ତି ସତ୍ତ୍ୱେ ରାଜଭବନରେ ଚଳିତ ବର୍ଷ ଜୁନ ୨୦ରେ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି ଦିବସ ପାଳନ କରାଯାଇଥିଲା।

ସୂଚନାଯୋଗ୍ୟ, ୨୦ ଜୁନ ୧୯୪୭ରେ ପଶ୍ଚିମବଙ୍ଗ ବିଧାନସଭାରେ ବିଭିନ୍ନ ବିଧାୟକଙ୍କ ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ପଶ୍ଚିମବଙ୍ଗକୁ ଭାରତର ଏକ ଅଂଶ କରିବାକୁ ଚାହୁଁଥିଲେ। ମାତ୍ର ଅନ୍ୟ ଦଳ ପୂର୍ବ ପାକିସ୍ତାନରେ ମିଶି ଯାଇଥିଲା।

ନ୍ୟୁଜ ଏଜେନ୍ସି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅଗଷ୍ଟ ୨୯ ରେ ଏକ ସର୍ବଦଳୀୟ ବୈଠକ ଡକାଇ ପ୍ରସ୍ତାବିତ ପ୍ରତିଷ୍ଠା ଦିବସ ଉପରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ଦ୍ୱାରା ରାଜ୍ୟର ପ୍ରତିଷ୍ଠା ଦିବସ ସ୍ଥିର କରିବା ପାଇଁ ଗଠିତ କମିଟି ମଧ୍ୟ ଏପ୍ରିଲ ୧୫ କୁ ‘ବଙ୍ଗଳା ଦିବସ’ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲା।

 

Share