ବେଙ୍ଗାଲୁରୁ,୯ା୯: ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଭାଜପା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କ ନେତୃତ୍ୱାଧୀନ ଜେଡିଏସ୍ ମଧ୍ୟରେ ବୁଝାମଣା ଚୂଡ଼ାନ୍ତ ହୋଇଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ଶୁକ୍ରବାର ଏହା ଘୋଷଣା କରିବା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ନିର୍ବାଚନ ବୁଝାମଣା ଅନୁଯାୟୀ କର୍ନାଟକର ମୋଟ ୨୮ ଲୋକ ସଭା ଆସନରୁ ୪ ଆସନରେ ଜେଡିଏସ୍ ଲଢ଼ିବ। ଦେବେଗୌଡ଼ା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ୪ ଆସନ ଚୂଡ଼ାନ୍ତ କରିଛନ୍ତି। ଜେଡିଏସ୍କୁ ୪ ଆସନ ଛାଡ଼ିଦେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସହମତ ହୋଇଥିବା ୟେଦୁରପ୍ପା କହିଛନ୍ତି। କର୍ନାଟକରେ ଜେଡିଏସ୍ ସହ ବୁଝାମଣା ଆମକୁ ସାମର୍ଥ୍ୟ ଦେବ ଏବଂ ଆମେ ମିଳିତ ଭାବେ ୨୫ରୁ ୨୬ ଲୋକ ସଭା ଆସନ ଜିତିପାରିବୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ସଂସଦୀୟ ବୋର୍ଡ ସଦସ୍ୟ କହିଛନ୍ତି। ୨୦୧୯ ନିର୍ବାଚନରେ କର୍ନାଟକରୁ ଭାଜପା ୨୫ ଆସନ ଜିତିଥିବାବେଳେ ଏହା ସମର୍ଥନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନ ପାଇଥିଲେ। କଂଗ୍ରେସ ଏବଂ ଜେଡିଏସ୍ ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଥିଲେ। ତେବେ ଗତ ମେ’ରେ ଅନୁଷ୍ଠିତ ୨୨୪ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୩୫ ଆସନ ମିଳିଥିବାବେଳେ ଭାଜପା ୬୬ ଏବଂ ଜେଡିଏସ୍ ୧୯ ଆସନରେ ଜିତିଥିଲା। ଏହି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜେଡିଏସ୍ ଲୋକ ସଭା ନିର୍ବାଚନରେ ଭାଜପା ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା।