Categories: ଜାତୀୟ

କାବେରୀ ବିବାଦକୁ ନେଇ କରୁଛନ୍ତି ରାଜନୀତି: ଭାଜପା-ଜେଡିଏସ ଉପରେ ଏଭଳି ଅଭିଯୋଗ ଆଣିଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୬।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ବିରୋଧୀ ଭାଜପା ଏବଂ ଜେଡିଏସ ଉପରେ କାବେରୀ ବିବାଦକୁ ରାଜନୀତିକରଣ କରିଥିବା ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ସରକାର ବିଫଳ ହୋଇଥିବା ଅଭିଯୋଗକୁ ମଧ୍ୟ ସିଦ୍ଦାରାମାୟା ପ୍ରତ୍ୟାଖ୍ୟାନ କରିଛନ୍ତି। ପଡୋଶୀ ରାଜ୍ୟ ତାମିଲନାଡୁ ସହ ବିବାଦର ସମାଧାନ ଭାବେ କାବେରୀ ନଦୀରେ ମେକେଦାସୁ ସନ୍ତୁଳନ ଜଳଭଣ୍ଡାରର ନିର୍ମାଣ ଏବଂ ସଙ୍କଟ ସମାଧାନ ପାଇଁ ଜଳ ବଣ୍ଟନ ଫର୍ମୁଲାର ଗୁରୁତ୍ୱକୁ ସେ ଦୋହରାଇଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁ ପାଇଁ କାବେରୀ ନଦୀ ଜଳ ଛାଡିବାକୁ ବିରୋଧ କରି ଭାଜପା ଏବଂ ଜେଡିଏସ ସମର୍ଥିତ କୃଷକ ତଥା କନ୍ନଡ ସଂଗଠନ ଦ୍ୱାରା ଡକାଯାଇଥିବା ବେଙ୍ଗାଲୁରୁ ବନ୍ଦର ଆଂଶିକ ପ୍ରଭାବ ମଙ୍ଗଳବାର ଦେଖିବାକୁ ମିଳିଛି। ସେ ଏକ ପ୍ରଶ୍ନର ଜବାବ ଦେଇ କହିଛନ୍ତି , କାବେରୀ ବିବାଦକୁ ନେଇ ଭାଜପା ଏବଂ ଜେଡିଏସ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟବାସୀଙ୍କ ପାଇଁ ନୁହେଁ, ରାଜନୀତି ପାଇଁ ସେମାନେ ଏହି ପ୍ରସଙ୍ଗକୁ ବୃଦ୍ଧି କରୁଛନ୍ତି।

ସିଦ୍ଦାରାମାୟା କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ବିରୋଧ ଏବଂ ବନ୍ଦ ଡାକିବାକୁ ଅଧିକାର ଅଛି, କିନ୍ତୁ କୋର୍ଟ ଏହାକୁ ବାରଣ କରିଛନ୍ତି। ତେଣୁ, ଧାରା ୧୪୪ ଅନୁଯାୟୀ ନିଷେଧ ନିର୍ଦ୍ଦେଶନାମା ଲାଗୁ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯେ ଆଇନକୁ କେହି ନିଜ ହାତକୁ ନ ନିଅନ୍ତୁ ଏବଂ ଜନସାଧାରଣ କୌଣସି ଅସୁବିଧାର ନ ହୁଅନ୍ତୁ।

Share