Categories: ଜାତୀୟ

ମୋଦିଙ୍କ ନେତୃତ୍ୱରେ ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଶାହା

ନୂଆଦିଲ୍ଲୀ,୧।୮: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାଜପା। ବିଭିନ୍ନ ରାଜ୍ୟରେ ଗଡ଼ ଆହୁରି ମଜଭୁତ କରିବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି।
ଏହାପୂର୍ବରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଆଲୋଚନା ହେଉଛି। ୭୧ ବର୍ଷୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିରୁ ଅବସର ନେଇ ନୂଆ ଚେହେରା ସୃଷ୍ଟି କରିବେ ବୋଲି ଅନେକ ସମୟରେ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ଏସବୁ ଆଲୋଚନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ମୋଦିଙ୍କ ନେତୃତ୍ୱରେ ହିଁ ଦଳ ୨୦୨୪ ନିର୍ବାଚନ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନିକଟରେ ପାଟନାରେ ଏକ ବୈଠକକୁ ସମ୍ବୋଧିତ କରି ଶାହା କହିଛନ୍ତି,୨୦୨୪ରେ ଭାଜପା-ଜେଡିୟୁ ଏକାଠି ନିର୍ବାଚନ ଲଢିବେ, ନରେନ୍ଦ୍ର ମୋଦି ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ମୋଦିଙ୍କ ନେତୃତ୍ୱରେ ଆଉ ଏକ ବିଜୟ ହାସଲ ପାଇଁ ଉଦ୍ୟମ କରିବାକୁ ଭାଜପା କର୍ମୀଙ୍କୁ ମୁଁ ଆହ୍ବାନ କରୁଛି। ଏଥିପାଇଁ ବୁଥ୍‌ ସ୍ତରରେ ଦଳକୁ ଦୃଢ କରିବାକୁ ପଡିବ।
ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି, ଶାହା ଭାଜପା କର୍ମୀମାନଙ୍କୁ ଅମୃତ ମହୋତ୍ସବ (ସ୍ବାଧୀନତାର ୭୫ ବର୍ଷ)କୁ ଦୃଷ୍ଟିରେ ରଖି ଦେଶଭକ୍ତିର ଭାବନା ବିସ୍ତାର କରିବାକୁ ଅଗଷ୍ଟ ୯ ରୁ ୧୨ ପର୍ଯ୍ୟନ୍ତ ଚାରି ଦିନ ଉତ୍ସର୍ଗ ପାଇଁ କହିଥିଲେ। ଏହାସହ ଦଳର କର୍ମୀଙ୍କୁ ମଧ୍ୟ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଏବଂ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଷମତାକୁ ଫେରିବା ନିଶ୍ଚିତ କରିବାକୁ କୁହାଯାଇଛି। ଗତଥର ଅପେକ୍ଷା ସେମାନଙ୍କୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ଆସନ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା।

Share