ଭାଜପା କର୍ମୀଙ୍କୁ ଟେକିନେଲା ପୋଲିସ

ଭୁବନେଶ୍ୱର,୨୨।୧୧(ବୂ୍ୟରୋ): କଳାହାଣ୍ଡି ଜିଲା ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ତାତି ଥମିବାର ନାଁ ନେଉନି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଗିରଫ ହେବା ପରେ ବି ରାଜନୀତି ଥମୁନି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ବିରୋଧୀ ଗର୍ଜୁଛନ୍ତି । ମମିତାଙ୍କ ପରିବାରକୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱରରେ ସୋମବାର ଭାଜପା ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ଆନ୍ଦୋଳନର ନାଁ ‘ହଲ୍ଲାବୋଲ’ ରଖାଯାଇଛି। ଭାଜପାର ଶତାଧିକ କର୍ମୀ ଶିଶୁଭବନ ଛକରୁ ବାହାରି ନବୀନ ନିବାସ ଅଭିମୁଖେ ଉଦ୍ୟତ ହେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହା ମଧ୍ୟରେ ଭାଜପା କର୍ମୀ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ପୋଲିସ କେତେକ ଭାଜପା କର୍ମୀଙ୍କୁ ଟେକି ନେଇଥିଲା। ହେଲେ ଭାଜପା କର୍ମୀମାନେ ନବୀନ ନିବାସ ଅଭିମୁଖେ ଯିବା ପାଇଁ ଅଡି ବସିଥିଲେ । ପୋଲିସ ଭାଜପା ରାଲିକୁ ଅଟକାଇବା ସହ କିଛି କର୍ମୀଙ୍କୁ ଅଟକ ରଖିଛନ୍ତି।

Share