ପାଣାଜି,୧୦।୩: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ତାହା ପୁଣି ଭାଜପା ପ୍ରାର୍ଥୀ ଆତାନାସିଓ ମନସେରାଟେଙ୍କ ଠାରୁ। ତେବେ ଖୁବ୍ କମ୍ ବ୍ୟବଧାନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି। ଏହା ସତ୍ତ୍ୱେ କମ୍ ବ୍ୟବଧାନରେ ବିଜୟ ପାଇଁ ଖୁସି ନ ଥିବା କହିବା ସହିତ ଭାଜପା ସମର୍ଥକ ତାଙ୍କୁ ଭୋଟ କରି ନ ଥିବା ମନସେରାଟେ ଅଭିଯୋଗ ଆଣିଛନ୍ତି।
“ମୁଁ ଏ ସମ୍ପର୍କରେ ଭାଜପା ନେତାଙ୍କୁ କହିଛି। ଭବିଷ୍ୟତରେ ସେମାନେ ଏଥି ପ୍ରତି ଧ୍ୟାନ ଦେବା ଦରକାର। ମୁଁ ଭାଜପା ନେତାଙ୍କ ସହ ଯୋଗାଯୋଗରେ ଅଛି ଏବଂ ମୁଁ ଭାଜପା ସହ ରହିଛି ” ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାଜପା ନିର୍ବାଚନ ଲାଗି ଟିକେଟ୍ ଦେବାକୁ ମନା କରିବା ପରେ ଦୁଇ ଥର ମୁଖ୍ୟମନ୍ତ୍ରୀ ପାରିକରଙ୍କ ପୁଅ ଉତ୍ପଳ ସ୍ବାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।