Categories: ଜାତୀୟ

ମିଳିଲାନି ଟିକେଟ୍‌, ପୁଣି କ୍ଲିନିକ୍‌କୁ ଫେରିବେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୩।୩: ଗୌତମ ଗମ୍ଭୀର ଓ ଜୟନ୍ତ ସିହ୍ନାଙ୍କ ପରେ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଏମିତି ସମୟରେ ଏପରି ନିଷ୍ପତ୍ତି ନେଇଛନ୍ତି ଯାହାର ଗୋଟିଏ ଦିନ ପୂର୍ବରୁ ଭାଜପା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଯେଉଁଥିରେ ତାଙ୍କର ନାଁ ନ ଥିଲା।

ସୋସିଆଲ ମିଡିଆରେ ପୋଷ୍ଟ କରି ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଆରଏସଏସ ନେତୃତ୍ୱଙ୍କ ଅନୁରୋଧ କ୍ରମେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲି। ମୋ ପାଇଁ ଗଣତନ୍ତ୍ରର ଅର୍ଥ, ଗଣତନ୍ତ୍ରର ତିନୋଟି ମୁଖ୍ୟ ଶତ୍ରୁ ଦାରିଦ୍ରତା, ରୋଗ ଏବଂ ଅଜ୍ଞାନତା ସହ ଲଢିବା। ଗତ ତିରିଶ ବର୍ଷର ରାଜନୈତିକ ଯାତ୍ରା ଅତି ଚମତ୍କାର ରହିଛି। ନିଜ ରାଜନୈତିକ କ୍ୟାରିୟରରେ ମୁଁ ପାଞ୍ଚଟି ବିଧାନସଭା ନିର୍ବାଚନ ଏବଂ ଦୁଇଟି ସଂସଦୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଏକ ବଡ ବ୍ୟବଧାନରେ ବିଜୟ ହାସଲ କରିଛି। ମୋର ଏହା ଚମତ୍କାର ଇନିଂସ ଥିଲା ଯେଉଁଥିରେ ସାଧାରଣ ଲୋକଙ୍କର ସେବା କରିବାର ସୁଯୋଗ ମିଳିଛି। ପୋଲିଓମୁକ୍ତ ଭାରତ ଏବଂ ପରେ କୋଭିଡ ସମୟରେ ଦେଶବାସୀଙ୍କ ସେବା କରି ନିଜକୁ ଧନ୍ୟ ମଣୁଛି।
ହର୍ଷ ବର୍ଦ୍ଧନ ଆହୁରି କହିଛନ୍ତି ଯେ, ମୁଁ ରାଜ୍ୟ ତଥା କେନ୍ଦ୍ର ତଥା ପାର୍ଟି ସଂଗଠନରେ ବହୁ ସମ୍ମାନଜନକ ପଦବୀରେ କାର୍ଯ୍ୟ କରିଛିି। ବର୍ତ୍ତମାନ ନିଜ ମେଡିକାଲ ପେଶାକୁ ଫେରିବାକୁ ଚାହୁଁଛି।

Share