ନୂଆଦିଲ୍ଲୀ,୨୧ ।୪: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି । ନିକଟରେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଥମି ନ ଥିବା ବେଳେ ଏବେ ଗାଜିପୁର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ପୁଣିଥରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗାଜିପୁର ଥାନା ଅଞ୍ଚଳରେ ଅସାମାଜିକ ବ୍ୟକ୍ତିମାନେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଜିତୁ ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଫୁଟାଯାଇଛି । ଏହି ଘଟଣାକୁ ନେଇ ପୋଲିସ କହିଛି ବ୍ୟବସାୟ କଳିରୁ ଏଭଳି ଘଟଣା ଘଟିଛି । ତାଙ୍କର କୌଣସି ଠିକାଦାର ସହ ଟଙ୍କା ଲେଣଦେଣକୁ ନେଇ ବିବାଦ ଲାଗି ରହିଥିଲା । ବୁଧବାର ରାତି ପ୍ରାୟ ୮ଟା ୧୫ରେ କେତେଜଣ ଅସାମାଜିକ ବ୍ୟକ୍ତି ଜିତୁଙ୍କୁ ଗୁଳି କରି ଦେଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।