Categories: ଜାତୀୟ

ରାସ୍ତା ମଝିରେ ଭାଜପା ନେତାଙ୍କୁ ହତ୍ୟା

ପାଟନା,୧୪।୮: ବିହାରରେ ରାଜଧାନୀ ପାଟନାରେ ଭାଜପା ନେତାଙ୍କୁ ହତ୍ୟା କରାଯାଇଛି। ଦୁଗ୍ଧ ବୁଥ ଅପରେଟର ତାଙ୍କୁ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆଲାମଗଞ୍ଜ ପୋଲିସ ଷ୍ଟେଶନ ପରିସରର ବଜରଙ୍ଗପୁରୀ କେନାଲ ନିକଟ ରାସ୍ତା ମଝିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ୫୦ ବର୍ଷୀୟ ଅଜୟ ଶାହାଙ୍କୁ ହତ୍ୟା କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ଅଜୟଙ୍କ ଉପରକୁ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାଟନା ସିଟି ଏଏସପି ଘଟଣାସ୍ଥଳରେ ପହଞ୍ଚିଥିଲା।
ଗୁଳିମାଡ ଯୋଗୁ ଅଜୟ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ଅଜୟଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ଏଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଆଖପାଖର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।
ମୃତ ଅଜୟ ଶାହାଙ୍କ ଭଣଜା ରୋହନ କହିଛନ୍ତି,ସେ ଆରମ୍ଭରୁ ଭାଜପାର ଜଣେ ସକ୍ରିୟ ନେତା ଥିଲେ। ବଜରଙ୍ଗ ମଣ୍ଡଳର ସଭାପତି ଥିଲେ। ବର୍ତ୍ତମାନ ସେ ଭାଜପାର ପାଟନା ଜିଲା ସାଧାରଣ ସମ୍ପାଦକ ଥିଲେ।

Share