‘ମିଛ କହୁଛନ୍ତି ଭାଜପା ନେତ୍ରୀ’

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ଭାଜପା କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବାକୁ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ଭାଜପା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି। ଏଭଳି ପ୍ରବଞ୍ଚନା ଓଡ଼ିଶାବାସୀଙ୍କ ନିକଟରେ କାମ ଦେବ ନାହିଁ ବୋଲି ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର କହିଛନ୍ତି।

ରାଜ୍ୟ ଭାଜପା ପ୍ରଭାରୀଙ୍କ ଖବରଦାତା ସମ୍ମିଳନୀର ଜବାବ ଦେଇ ପାତ୍ର କହିଛନ୍ତି, ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ଏଠାକୁ ଆସିଛନ୍ତି। ବିଶେଷ କରି ବାଲେଶ୍ୱର ପରାଜୟ ରାଜ୍ୟ ଭାଜପା ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିଦେଇଛି। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ପୁରନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥିଲେ ଭଲ ହୋଇଥାଆନ୍ତା। ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା ବୃଦ୍ଧି କରିବା ପାଇଁ ଓଡ଼ିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ରେ ସର୍ବସମ୍ମତି କ୍ରମେ ଯେଉଁ ସଙ୍କଳ୍ପ ପାରିତ ହୋଇଥିଲା ସେ ବିଷୟରେ ମତ ରଖିବାର ଥିଲା। ଭାଜପାର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଶୁକ୍ରବାର ସାଧାରଣ ସଭାରେ ଜଣେ ମହିଳା ସାମାଜିକ କର୍ମୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ପୋଲିସରେ ଅଭିଯୋଗ ହୋଇଥିବା ବୋଧହୁଏ ପୁରନ୍ଦେଶ୍ୱରୀ ଅବଗତ ନାହାନ୍ତି।

ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁଘଟଣାରେ ଜୟରାମ ପାଙ୍ଗୀଙ୍କ ସମ୍ପୃକ୍ତିର ସିବିଆଇ ତଦନ୍ତ କରିବା ଲାଗି ଭାଜପା ଲଗାତର ଆନ୍ଦୋଳନ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ପାଙ୍ଗୀ ଭାଜପାରେ ଯୋଗ ଦେବା ପରେ ତାଙ୍କୁ ସ୍ବାଗତ କରିବା ସହ ଟିକେଟ ଦେଇ ନିର୍ବାଚନ ଲଢ଼ାଇଥିଲା। ଓଡ଼ିଶା ଭାଜପା ବୋଧହୁଏ ଏ ପ୍ରସଙ୍ଗରେ ରାଜ୍ୟ ପ୍ରଭାରୀଙ୍କୁ ଅବଗତ କରାଇ ନାହାନ୍ତି ବୋଲି ପାତ୍ର କହିଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଘର ତିଆରି କରିଥିବାରୁ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଓଡ଼ିଶାକୁ ୫ମ ପୁରସ୍କାର ଦେଇଥିବା ନେଇ ପୁରନ୍ଦେଶ୍ୱରୀ ଅବଗତ ନ ଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ନିଜ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ଯେଭଳି ମିଛ କହୁଛନ୍ତି ତାହାକୁ କେହି ଗ୍ରହଣ କରିବେ ନାହିଁ ବୋଲି ପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

Share