Categories: ଜାତୀୟ

ଭାଜପା ନେତା ପଙ୍କଜାଙ୍କ ବିଦ୍ରୋହୀ ମନୋଭାବ, କହିଲେ ମୁଁ ଭାଜପାରେ ଅଛି, ହେଲେ ପାର୍ଟି ମୋର ହେବ ନାହିଁ

ମୁମ୍ବାଇ,୧।୬: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ପଙ୍କଜା ମୁଣ୍ଡେ ପୁଣିଥରେ ଦଳ ଉପରେ ରାଗିଛନ୍ତି। ତାଙ୍କ ଅସନ୍ତୋଷର ସ୍ବର ପୁଣିଥରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ରାଷ୍ଟ୍ରୀୟ ସମାଜ ପାର୍ଟି ପକ୍ଷରୁ ଅହିଲ୍ୟା ଦେବୀ ହୋଲକରଙ୍କ ଜୟନ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଙ୍କଜା ମୁଣ୍ଡେ ଦେଇଥିବା ଏହି ବୟାନ ଉପରେ ଏବେ ପ୍ରଶ୍ନ ଉଠିଛି। କୁହାଯାଉଛି ଯେ ସତରେ କ’ଣ ଦଳ ଉପରେ ଅସନ୍ତୋଷ ଅଛନ୍ତି ପଙ୍କଜା।

ଏଠାରେ ପଙ୍କଜା ମୁଣ୍ଡେ କହିଛନ୍ତି ଯେ ମୁଁ ଭାଜପାରେ ଅଛି, କିନ୍ତୁ ଭାଜପା ମୋର ହୋଇପାରିବ ନାହିଁ। ପଙ୍କଜା ଏତିକିରେ ଥମି ନ ଥିଲେ ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ପିତାଙ୍କ ସହ ଝଗଡା ହୁଏ, ତେବେ ସେ ତାଙ୍କ ଭାଇଙ୍କ ନିକଟକୁ ଯାଇପାରିବେ, ରାଷ୍ଟ୍ରିୟ ସମାଜ ପାର୍ଟି ମୋର ମାତୃ ଘର। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ।

ଏଥି ସହ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଭାଜପା ନେତା ପଙ୍କଜା ମୁଣ୍ଡେ ଦଳ ଉପରେ ରାଗି ନାହାଁନ୍ତି। ମୁଁ ତାଙ୍କର ପୁରା ଭାଷଣ ଦେଖିଛି ଏବଂ ଶୁଣିଛି । ତାଙ୍କ ବିବୃତ୍ତିକୁ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। ବାୱାନକୁଲେ ଆହୁରି କହିଛନ୍ତି ଯେ ପଙ୍କଜା ମୁଣ୍ଡେଙ୍କ ବିବୃତ୍ତି ସବୁବେଳେ ଭୁଲ ଅର୍ଥରେ ନିଆଯାଏ। ମହାରାଷ୍ଟ୍ରରେ ଦଳକୁ ମଜବୁତ କରିବା ପାଇଁ ପଙ୍କଜା ମୁଣ୍ଡେ କାର୍ଯ୍ୟ କରୁଛନ୍ତି।

 

Share