ଏମ୍‌ବିକେ, ଆଶାକର୍ମୀଙ୍କୁ ଧମକ ଦେଉଛନ୍ତି ଭାଜପା ନେତା

ଭୁବନେଶ୍ୱର, ୧୮।୫ (ବନ୍ଦନା ସେଠୀ): ସମ୍ବଲପୁରରେ ଭାଜପା ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି। ଦଳର ବରିଷ୍ଠ ନେତ୍ରୀ ସୁଲତା ଦେଓ, ମଧୁସ୍ମିତା ନାୟକ, ଈପ୍‌ସିତା ସାହୁ, ମିହିର ରାୟ, ପ୍ରିୟବ୍ରତ ମାଝି ପ୍ରମୁଖ ଶୁକ୍ରବାର ସିଇଓଙ୍କ କାର୍ଯ୍ୟାଳୟକୁ ଯାଇ ସମ୍ବଲପୁର ଜିଲାର ପୂର୍ବତନ ଏମ୍‌ପିଙ୍କ ନୋମିନି ତଥା ଭାଜପା ନେତା ନରେଶ ସିଂ ଠାକୁର ଓରଫ ପପୁନ୍‌ ସିଂ ବାମରା ବ୍ଲକର ଏମ୍‌ବିକେ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ଡରାଇବା ଓ ଧମକାଇବା ସହିତ ଫୋନରେ ଅଶ୍ଳୀଳ ଭାଷାରେ ଗାଳି କରୁଥିବା ଅଭିଯୋଗ କରିଥିଲେ। ଏପରିକି ନରେଶ ନିଜ ସହଯୋଗୀଙ୍କୁ ଧରି ମୋଟରସାଇକେଲରେ ମାରଣାସ୍ତ୍ର ଧରି ମହିଳାଙ୍କ ଘର ଆଗରେ ବୁଲିବା ସହ ତାଙ୍କ ଜାତିକୁ ନେଇ ଖରାପ ମନ୍ତବ୍ୟ ଦେଉଛନ୍ତି। ଏପରିକି ଭାଜପାକୁ ସମର୍ଥନ ନ କଲେ ଜୀବନରୁ ମାରିବାକୁ ଧମକ ଦେଉଛନ୍ତି। ସ୍ଥିତି ଏପରି ହୋଇଛି ଭୟରେ ଏମବିକେ, ଏସ୍‌ଏଚ୍‌ଜି ମହିଳାମାନେ ଘରୁ ବାହାରି ପାରୁନାହାନ୍ତି ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ଏଥିସହ ୩ ମିନିଟ୍‌ ୨୧ ସେକେଣ୍ଡର ଏକ ଅଡିଓ ରେକର୍ଡିଂକୁ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରି ସମ୍ପୃକ୍ତ ମହିଳାଙ୍କ ସୁରକ୍ଷା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି।

Share