Categories: ଜାତୀୟ

ସେକ୍ସ ରାକେଟ ଚଳାଉଥିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୫ା୭: ମେଘାଳୟ ଭାଜପା ଉପାଧ୍ୟକ୍ଷ ବର୍ନାର୍ଡ ଏନ୍‌. ରିମ୍ପୁ ମରାକ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଓ୍ବେଷ୍ଟଗାରୋ ହିଲ୍ସ ଜିଲା ସଦର ମହକୁମା ତୁରା ସ୍ଥିତ ଏକ ଫାର୍ମ ହାଉସ୍‌ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଛି। ମରାକ୍‌ ସେଠାରେ ଗଣିକାଳୟ ଖୋଲି ସେକ୍ସ ରାକେଟ ଚଳାଉଥିବା ପୋଲିସ ଜାଣିବାକୁ ପାଇ ୬ ନାବାଳିକାଙ୍କୁ ଉଦ୍ଧାର କରିଛି। ଏଥିସହ ୭୩ ଜଣଙ୍କୁ ଗିରଫ କରାଯାଇଛି। ସେଠାରୁ ୩୬ ଗାଡ଼ି, ୪୧୪ ବୋତଲ ମଦ, ୪୯ ମୋବାଇଲ ଫୋନ, ଧାରୁଆ ଅସ୍ତ୍ର ଓ କେତେକ ଅବ୍ୟବହୃତ ଆପତ୍ତିଜନକ ସାମଗ୍ରୀ ଜବତ କରିଥିବା ଏସ୍‌ପି ବିବେକାନନ୍ଦ ସିଂ ରାଥୋଡ ସୂଚନା ଦେଇଛନ୍ତି।
ବର୍ନାର୍ଡ ଏନ୍‌. ରିଙ୍କୁ ମରାକ୍‌ ହେଉଛନ୍ତି ଅଚିକ୍‌ ନ୍ୟାଶନାଲ ଭଲିଣ୍ଟିୟର କାଉନ୍‌ସିଲ(ଏଏନ୍‌ଭିସି)ର ପୂର୍ବତନ ସଦସ୍ୟ। ଏହି ନିଷିଦ୍ଧ ଘୋଷିତ ଉଗ୍ରପନ୍ଥୀ ସଙ୍ଗଠନ ଅନେକ ହିଂସାତ୍ମକ କାର୍ଯ୍ୟରେ ଜଡ଼ିତ। ମରାକ୍‌ ୨୦୧୪ରେ ଭାଜପାରେ ସାମିଲ ହେବା ପରେ ଦଳ ତାଙ୍କୁ ମେଘାଳୟ ଉପାଧ୍ୟକ୍ଷ ନିଯୁକ୍ତ କରିଥିଲା। ତାଙ୍କ ବିରୋଧରେ ୨୫ ଆପରାଧିକ ମାମଲା ରହିଛି। ପୋଲିସ ତାଙ୍କ କଳା କାରନାମା ସମ୍ପର୍କରେ ସୂଚନା ପାଇ ଫାର୍ମ ହାଉସରେ ଚଢ଼ାଉ କରିଥିଲା। ୩ ମହଲା ବିଶିଷ୍ଟ ଉକ୍ତ ଫାର୍ମ ହାଊସ୍‌ରେ ପ୍ରାୟ ୩୦ କୋଠରୀ ରହିଛି। ଚଢ଼ାଉ ପରେ ପୋଲିସ ଫାର୍ମହାଉସ ମ୍ୟାନେଜର, କେୟାର ଟେକର ଏବଂ ଅନ୍ୟ ୩ କର୍ମଚାରୀଙ୍କୁ ଗିରଫ କରିଥିବାବେଳେ ମରାକ୍‌ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଆତ୍ମସମର୍ପଣ ପାଇଁ କହିଛି। ମରାକ୍‌ ଏକ ଭିଡିଓ ଜାରି କରି କହିଛନ୍ତି, ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସାଙ୍ଗ୍‌ମାଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇଛି। ସାଙ୍ଗ୍‌ମା ତାଙ୍କଠାରୁ ତୁରା ଆସନରୁ ନିର୍ବାଚନ ହାରିଯିବା ଭୟରେ ତାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ମରାକ୍‌ କହିଛନ୍ତି।

Share