Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ ପାଇଁ ନଡ୍ଡାଙ୍କ ଘରେ ଚାଲିଲା ମନ୍ଥନ: ଖୁବ୍‌ଶୀଘ୍ର ହୋଇପାରେ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୧୯।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ନିର୍ବାଚନ ସମ୍ପର୍କରେ ବିରୋଧୀଙ୍କ ବୈଠକ ପରେ ଏବେ ଭାଜପା ମଧ୍ୟ ପ୍ରାର୍ଥୀ ନେଇ ବୈଠକ ଆରମ୍ଭ କରିଦେଇଛି। ରାଷ୍ଟ୍ରପତି ନିର୍ବାଚନ ଚର୍ଚ୍ଚା ଭିତରେ ରବିବାର ଭାଜପା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଘରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଗଜେନ୍ଦ୍ର ଶେଖାୱତ, ଅଶ୍ୱିନୀ ବୈଷ୍ଣବ, ଓମ ପାଠକ, ବିନୋଦ ତାୱଡେ, ସମ୍ବିଟ ପାତ୍ର, ଅର୍ଜୁନ ରାମ ମେଘୱାଲ, ଜି କିଶନ ରେଡ୍ଡୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଏବଂ ଖୁବ ଶୀଘ୍ର ଏକ ବଡ଼ ଘୋଷଣା କରାଯାଇପାରେ। ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବାର ଦାୟିତ୍ୱ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଜୁଲାଇ ୧୮ରେ ଧାର୍ଯ୍ୟ ହୋଇଥିବାବେଳେ ଭୋଟ ଗଣନା ତାରିଖ ଜୁଲାଇ ୨୧ ରହିଛି। ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି।

 

Share