Advertisement

ଏହା ମୋଦି ଲହର…ଦିଲ୍ଲୀର Exit Poll  ଦେଖି ଗଦଗଦ ଭାଜପା ଶିବିର, ଏଭଳି ବୟାନ ଦେଉଛନ୍ତି…

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଏକଜିଟ୍‌ ପୋଲ୍‌ ଆସିସାରିଛି। ଆକଳନ ଅନୁଯାୟୀ, ଅଧିକାଂଶ ଏକଜିଟ୍‌ ପୋଲ୍‌ରେ ଭାଜପା ସରକାର ଗଠନ କରୁଥିବା ଦେଖାଯାଉଛି। ଏକଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ଭାଜପା ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ବୋଲି ଅନେକେ କହୁଛନ୍ତି। ଭାଜପା ନେତା ରମେଶ ବିଧୁରୀଙ୍କଠାରୁ ଆରମ୍ଭ କରି ପ୍ରବେଶ ବର୍ମା ଆଦି ସମସ୍ତେ ଚୂଡ଼ାନ୍ତ ଫଳାଫଳରେ ମଧ୍ୟ ଭାଜପାର ବିଜୟ ବୋଲି ଦାବି କରଛନ୍ତି।
ଏକଜିଟ୍‌ ପୋଲ୍‌ ଉପରେ, କାଲକାଜି ବିଧାନସଭାର ଭାଜପା ପ୍ରାର୍ଥୀ ରମେଶ ବିଧୁରୀ କହିଛନ୍ତି ଯେ ଏହା ହେଉଛି ମୋଦି ଲହର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଅନ୍ୟାନ୍ୟ ସ୍ଥାନରେ ଯେପରି ବିକାଶ ହୋଇଛି, ଠିକ ସେହିପରି ଦିଲ୍ଲୀର ଲୋକମାନେ ମଧ୍ୟ ବିକାଶ ଚାହାନ୍ତି। ଆମ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ, ନେତାଙ୍କ ମାର୍ଗଦର୍ଶନ ଏବଂ ରଣନୀତି ସଫଳ ହୋଇଛି। ମୁଁ ଏହି ଏକଜିଟ ପୋଲ ଉପରେ ବିଶ୍ୱାସ କରୁନାହିଁ। ଆମର ଆସନ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଭାଜପା ୫୦ ଆସନ ଅତିକ୍ରମ କରିବ ବୋଲି ସେ କହିଛନ୍ତି।
ସେହିଭଳି ନୂଆଦିଲ୍ଲୀ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରବେଶ ବର୍ମା କହିଛନ୍ତି ଯେ ଫେବୃଆରୀ ୮ ତାରିଖରେ ପଦ୍ମ ଫୁଟିବା ନିଶ୍ଚିତ। ଆମେ ଦିଲ୍ଲୀରେ ସୁଶାସନ, ସ୍ବଚ୍ଛ ଯମୁନା ଏବଂ ନିଯୁକ୍ତି ପ୍ରଦାନ କରିବୁ। ଅରବିନ୍ଦ କେଜରିୱାଲ ବିଶ୍ୱାସ କରୁଛନ୍ତି ଯେ ସେ ହାରି ଯାଉଛନ୍ତି।
ଏକଜିଟ ପୋଲ ଉପରେ ଭାଜପା ଏମ୍‌ପି ମନୋଜ ତିୱାରୀ କହିଛନ୍ତି – “ମୁଁ ଏବେ ଯେଉଁ ଏକଜିଟ୍‌ ପୋଲ୍‌ ଦେଖିଛି, ମୁଁ ଭାବୁଛି ଆମର ଫଳାଫଳ ଏକଜିଟ୍‌ ପୋଲ ଅପେକ୍ଷା ଭଲ ହେବ… ଲୋକଙ୍କ ମଧ୍ୟରେ ଆମେ ଯେଉଁ ପ୍ରତିକ୍ରିୟା ଦେଖିଲୁ, ଭାଜପା (ଦିଲ୍ଲୀରେ) କ୍ଷମତାକୁ ଆସୁଛି… ଏହା ଭାଜପାର ଗୃହପ୍ରବର୍ତ୍ତନ… ମୁଁ ଦିଲ୍ଲୀର ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି…”
ଏକଜିଟ୍‌ ପୋଲ୍‌ ଉପରେ, ମାଲବ୍ୟ ନଗର ବିଧାନସଭାର ଭାଜପା ପ୍ରାର୍ଥୀ ସତୀଶ ଉପାଧ୍ୟାୟ କହିଛନ୍ତି, “… ’ଝାଡୁର ବେଣ୍ଟ ହୁଗୁଳି ଯାଇଛି ଏବଂ ପଦ୍ମ ଫୁଟିଛି’… ଭାଜପା ସ୍ପଷ୍ଟ ବହୁମତ ସହିତ ଫେରୁୁଛି… ଯଦି ଆପଣ AAPର ଇତିହାସକୁ ଦେଖନ୍ତି, ତେବେ ସେମାନଙ୍କର କାର୍ଯ୍ୟପ୍ରଣାଳୀ ହେଉଛି ଅଭିଯୋଗ ଏବଂ ପ୍ରତ୍ୟାରୋପ ଏବଂ ମିଥ୍ୟା କହିବା…”

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: National