ଭାଜପା ଛାଡିଥିଲେ ୧୫, ଫେରିଲେ ୫ ଜିଲାପରିଷଦ

ବାରିପଦା ଅଫିସ,୩୦ା୮: ନିକଟରେ ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମୟୂରଭଞ୍ଜ ଜିଲାର ୧୫ ଜିଲାପରିଷଦ ସଦସ୍ୟ। ସେମାନଙ୍କ ମଧ୍ୟରୁ ରବିବାର ୫ଜଣ ଦଳକୁ ଫେରିଛନ୍ତି। ଜିଲାପରିଷଦଙ୍କ ଘରବାହୁଡ଼ାକୁ ନେଇ ଜିଲାରେ ରାଜନୀତି ସରଗରମ ହୋଇଛି। ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଥିତ ବାସଭବନରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ସମ୍ମିଳନୀରେ ଭାଜପା ଜିଲା (ପଶ୍ଚିମ)ସଙ୍ଗଠନର ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିିଆ, ରାଜ୍ୟ ସମ୍ପାଦକ ନବୀନ ରାମ, ଜିଲାପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତିଙ୍କ ସହ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ା ଦଳକୁ ଫେରିଥିବା ସଦସ୍ୟମାନେ ହେଲେ ୪୨ନଂ. ସଦସ୍ୟା ଗାନ୍ଧାରୀ ନାୟକ, ୪୪ନଂ.ର ପରମେଶ୍ୱର ନାୟକ ଓ ୩୩ନଂ.ର ନାନିକା ନାଏକ। ସେହିପରି ଜିଲା(ପୂର୍ବ) ସଙ୍ଗଠନର ୨୪ନଂ. ସଦସ୍ୟା ମଧୁସ୍ମିତା ପରିଡ଼ା ଓ ୨୪ନଂ. ସଦସ୍ୟା ଅସିନ୍ତାମଣି ସିଂ ଦଳକୁ ଫେରିଥିବା ନେଇ ଜିଲା ସଭାପତି କାନ୍ଦରା ସୋରେନ ପ୍ରକାଶ କରିଛନ୍ତି। ତେବେ ସଦସ୍ୟ ଦୀପାଞ୍ଜଳୀ ନାଏକ, ସାରିନା ହେମ୍ବ୍ରମ ଓ ସମାଜ ପୂର୍ତ୍ତିଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

Share